ଭୁବନେଶ୍ୱର, ୧୮/୦୪: ମାଲେସିଆ ଯିବେ ଓଡ଼ିଶାର କୃଷକ ଓ କୃଷି ଅଧିକାରୀ। ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଜଳ ସମ୍ପଦ ବିଭାଗର ମିଳିତ ସହଯୋଗରେ ୧୪ କୃଷକ ଓ ୧୪ ଜଣ ଅଧିକାରୀଙ୍କୁ ମାଲେସିଆ ଯିବା ପାଇଁ ମନୋନୀତ କରାଯାଇଛି।
ଏପ୍ରିଲ୍ ୧୯ରୁ ୨୬ ତାରିଖ ଯାଏଁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ ଓ କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବେ। ଛତୁ ଉତ୍ପାଦନ, ଆଧୁନିକ ଉନ୍ନତ ପ୍ରଣାଳୀରେ ଉଦ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବା ପାଇଁ ସୁଯୋଗ ପାଇବେ କୃଷକ।
ରାଜ୍ୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ଏବଂ ବ୍ୟବସାୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାଲେସିଆ ଗସ୍ତର ପ୍ରତ୍ୟେକ ଦିନର ରିପୋର୍ଟ ପ୍ରସ୍ତୁତ କରିବାକୁ ଉପ ମୁଖ୍ୟମନ୍ତ୍ରୀ କୃଷକ ଓ ଅଫିସରଙ୍କ ଟିମକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଆସିବାର ୩ ଦିନ ମଧ୍ୟରେ ବିଭାଗରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ପରବର୍ତ୍ତୀ ସମୟରେ ଏହାକୁ ନଜରରେ ରଖି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ରହିଛି, ତାହାକୁ ନଜରରେ ରଖି କୃଷି ବିଭାଗ ନାବାର୍ଡ ଏବଂ ବାର୍ଡ ଇନଷ୍ଟିଚ୍ୟୁଟ, ଲକ୍ଷ୍ନୌ ସହ ଜଳସମ୍ପଦ ବିଭାଗର ମିଳିତ ସହଯୋଗରେ ୧୪ ଜଣ କୃଷକ ଓ ୧୪ ଜଣ କୃଷି ଅଧିକାରୀଙ୍କୁ ମାଲେସିଆ ପଠାଯାଇଛି।