ଆତ୍ମସମର୍ପଣ କଲେ ୨୨ ହାର୍ଡକୋର ମାଓବାଦୀ

ଛତିଶଗଡ଼ ଓ ଓଡ଼ିଶାରେ ସକ୍ରିୟ ଥିଲେ

ସେମାନଙ୍କ ଉପରେ ଥିଲା ୪୦ ଲକ୍ଷର ପୁରସ୍କାର ରାଶି

ନୂଆଦିଲ୍ଲୀ, ୧୮/୦୪: ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନ ଅତିବାହିତ କରିବାକୁ ଇଚ୍ଛୁକ ଲାଲ୍ ବାହିନୀ। ଏଭଳି ବାର୍ତ୍ତାରେ ଆଜି ୨୨ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ସୁକୁମା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ହାର୍ଡକୋର ମାଓବାଦୀ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଉପରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ସୁକମା ଆରକ୍ଷୀ ଅଧୀକ୍ଷକ କିରଣ ଚୌହାନ କହିଛନ୍ତି ଯେ ୯ ଜଣ ମହିଳାଙ୍କ ସମେତ କ୍ୟାଡରମାନେ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ସେମାନେ ସ୍ଥାନୀୟ ଆଦିବାସୀଙ୍କ ଉପରେ ମାଓବାଦୀଙ୍କ ଅମାନବୀୟ ଅତ୍ୟାଚାରକୁ ନେଇ ନିରାଶ ହୋଇଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ମାଓବାଦୀଙ୍କ ମାଦ (ଛତିଶଗଡ଼) ଓ ନୂଆପଡ଼ା (ଓଡ଼ିଶା) ଡିଭିଜନରେ ସକ୍ରିୟ ଥିଲେ। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି ଏବଂ ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ।