ରାକେଶ ଶର୍ମାଙ୍କ ପରେ ଏବେ ଶୁଭ୍ରାଂଶୁ ଶୁକ୍ଳା

ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ୨ ସପ୍ତାହ ରହିବେ ଶୁଭ୍ରାଂଶୁ ଶୁକ୍ଳା

୪୦ ବର୍ଷ ପରେ ଆଇଏସଏସ ଯାତ୍ରା କରିବେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ, ୧୮/୦୪: ୪୦ ବର୍ଷ ପରେ ମହାକାଶରେ ପାଦ ଥାପିବେ ଭାରତୀୟ। ଦୀର୍ଘ ୪ ଦଶନ୍ଧିର ବ୍ୟବଧାନ ପରେ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନକୁ ଯିବେ ଶୁଭ୍ରାଂଶୁ ଶୁକ୍ଳା। ମେ ମାସରେ ଲଞ୍ଚ୍ ହେବ ଆକ୍ସିଅମ୍-4 ମିଶନ। ଏଥିରେ ମିଶନ୍ ପାଇଲଟ୍ ବନିବେ ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳା। ଏନେଇ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଶୁଭ୍ରାଂଶୁ ଶୁକ୍ଳା ଦୁଇ ସପ୍ତାହ ଧରି ଆଇଏସଏସରେ ରହିବେ। ସେଠାରେ ବିଭିନ୍ନ ଗବେଷଣା ଓ ପରୀକ୍ଷଣ କରିବେ।

ଭାରତୀୟ ବାୟୁସେନାର ପାଇଲଟ୍ ଶୁଭ୍ରାଂଶୁ ଶୁକ୍ଳା ନାସାର ପୂର୍ବତନ ମହାକାଶଚାରୀ ପେଗି ହ୍ୱିଟସନଙ୍କ ନେତୃତ୍ୱରେ ଏକ ଟିମ୍ ସହ ମହାକାଶକୁ ଯିବେ। ତାଙ୍କ ସହ ପୋଲାଣ୍ଡର ଦୁଇ ଜଣ ମିଶନ ବିଶେଷଜ୍ଞ ସ୍ଲାଭୋସ୍ଜ ଉଜନାନସ୍କି-ୱିସ୍ନିଓ୍ଵସ୍କି ଏବଂ ହଙ୍ଗେରୀର ଟିବୋର୍ କାପୁ ମଧ୍ୟ ଯିବେ। ଏହି ଅଭିଯାନରେ ଭାରତ ବ୍ୟତୀତ ପୋଲାଣ୍ଡ ଏବଂ ହଙ୍ଗେରୀର ମହାକାଶଚାରୀଙ୍କ ପାଇଁ ପ୍ରଥମ ମହାକାଶ ରହଣୀ ହେବ।

ପୂର୍ବରୁ ୧୯୮୪ ମସିହାରେ ରାକେଶ ଶର୍ମା ସୋଭିଏତ ସୋୟୁଜ୍ ମହାକାଶଯାନରେ ଉଡ଼ାଣ କରିଥିଲେ।