ଭୁବନେଶ୍ୱର, ୨୦/୦୪: ଆଜି ରାଜ୍ୟର ସବୁ ଜିଲ୍ଲାରେ ଖେଲୋ ଇଣ୍ଡିଆ ସେଣ୍ଟର୍ ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହା ୩୦ ଜିଲ୍ଲାର ୩୦ ସ୍କୁଲରେ ସେଣ୍ଟର ସ୍ଥାପନ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଯୋଗାଇବ ଏହି ନୂତନ ପଦକ୍ଷେପ। ସ୍ଥାନୀୟ ଅଞ୍ଚଳର ପୂର୍ବତନ ଖେଳାଳିଙ୍କୁ ପ୍ରଶିକ୍ଷକ ଦାୟିତ୍ୱ ଦିଆଯିବ।
ଏ ସମ୍ପର୍କରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, “ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ଯୋଜନାରେ ପ୍ରତ୍ୟେକ ଜିଲ୍ଲାରେ ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ ଆଭାଷୀ ମାଧ୍ୟମରେ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଓ ପ୍ରତିଭାର ବିକାଶ ଲକ୍ଷ୍ୟ ନେଇ ଖେଲୋ ଇଣ୍ଡିଆ ସେଣ୍ଟରର ନିର୍ମାଣ କରାଯାଇଛି। କ୍ରୀଡ଼ାବିତମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ବିଭିନ୍ନ କ୍ରୀଡ଼ା ଯଥା ଫୁଟବଲ୍, ଭଲିବଲ୍, ହକି, ଆଥଲେଟିକ୍ସ, ଖୋଖୋ, କବାଡ଼ି ଆଦି ନିମନ୍ତେ ସୁଦୃଢ଼ ଭିଭିଭୂମି ଏବଂ ସମସ୍ତ ପ୍ରକାର ସୁବିଧା ଖେଳାଳିମାନଙ୍କୁ ପ୍ରଦାନ କରାଯିବ। ଏଥିସହିତ ଏହି ଖେଲୋ ଇଣ୍ଡିଆ ସେଣ୍ଟର ଗୁଡ଼ିକର ଉପଯୁକ୍ତ ପରିଚାଳନା ନିମନ୍ତେ ସରକାରଙ୍କ ତରଫରୁ ବାର୍ଷିକ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ମଧ୍ଯ ପ୍ରଦାନ କରାଯିବ।”