ଜମ୍ମୁ-କାଶ୍ମୀରରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ

୩ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ, ୨୦/୦୪: ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାର ଚେନାବ ନଦୀ ନିକଟରେ ଥିବା ଧରମକୁଣ୍ଡ ଗାଁରେ ରାତିରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି ଏବଂ ବନ୍ୟା ପାଣିରେ ଗାଡ଼ି ସବୁ ବୁଡ଼ି ରହିଥିବାର ଦେଖିବାକୁ ମିଳିଛି।

ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଲଗାଣ ବର୍ଷା ଯୋଗୁଁ ନିକଟସ୍ଥ ନାଳର ଜଳସ୍ତର ବୃଦ୍ଧି ପାଇଛି। ଯେଉଁଥିପାଇଁ ଚେନାବ ନଦୀ ନିକଟ ଧରମକୁଣ୍ଡ ଗାଁରେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଛି। ଏଥିରେ ୧୦ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୨୫ରୁ ୩୦ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ଧର୍ମକୁଣ୍ଡ ପୁଲିସ ଓ ଜିଲ୍ଲା ପ୍ରଶାସନର ସହଯୋଗ ଫଳରେ ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ପ୍ରାୟ ୯୦ରୁ ୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ବାଗନା ଗାଁରେ ଏକ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଭୂସ୍ଖଳନ ଏବଂ ଆକସ୍ମିକ ବନ୍ୟା ପରିସ୍ଥିତିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ପରିବାର ପ୍ରତି ସମବେଦନା ଜଣାଇ ସେ ଆଶ୍ୱାସନା ଦେଇଛନ୍ତି ଯେ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରୁଛନ୍ତି।