ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ସୈଫୁଲ୍ଲା କସୁରୀ
ଆକ୍ରମଣକାରୀଙ୍କ ଫଟୋ ଓ ସ୍କେଚ୍ ଜାରି। ଆକ୍ରମଣ ପୂର୍ବରୁ ରେକି କରିଥିଲେ।
ଘଟଣାକ୍ରମକୁ ରେକର୍ଡ ପାଇଁ ବ୍ୟବହାର କରିଥିଲେ ବଡ଼ି କ୍ୟାମ ଓ ହେଲମେଟ ମାଉଣ୍ଟେଡ କ୍ୟାମେରା
ନୂଆଦିଲ୍ଲୀ, ୨୩/୦୪: କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଫଟୋ ଓ ସ୍କେଚ୍ ଜାରି କରାଯାଇଛି। ସେମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଏକ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ ଆସିଫ୍ ଫୁଜି, ସୁଲେମାନ ଶାହ ଓ ଅବୁ ତଲହା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପାକିସ୍ତାନର ଏହି ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିଥିଲେ। ଲସ୍କର-ଏ-ତୋଏବାର ଶୀର୍ଷ କମାଣ୍ଡର ସୈଫୁଲ୍ଲା କସୁରୀ ଓରଫ ଖାଲିଦଙ୍କୁ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡିଛି। ମୁଜାଫରାବାଦ ଏବଂ କରାଚିର ଏକ ଘରେ ଆକ୍ରମଣକାରୀଙ୍କ ଡିଜିଟାଲ ପାଦଚିହ୍ନ ଠାବ କରାଯାଇଛି। ଯାହା ସୀମାପାର ଆତଙ୍କବାଦ ଲିଙ୍କ୍ ର ସମ୍ପୃକ୍ତ ରହିଛି।
ଆକ୍ରମଣକାରୀ ମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଏହି କାଣ୍ଡ ଭିଆଇ ଥିଲେ। ସେମାନେ ମିଲିଟାରୀ ଗ୍ରେଡ଼ ଅସ୍ତ୍ରଶସ୍ତ୍ର ସହିତ ଉନ୍ନତମାନର ଯୋଗାଯୋଗ ଉପକରଣ ବ୍ୟବହାର କରିଥିଲେ। ସେମାନେ ବଡ଼ି କ୍ୟାମ୍ ଓ ହେଲମେଟ ମାଉଣ୍ଟେଡ କ୍ୟାମେରା ଲଗାଇଥିଲେ। ଯାହା ଦ୍ୱାରା ସେମାନେ ପୂରା ଘଟଣାକ୍ରମର ରେକର୍ଡ କରିଥିଲେ। ପାଖରେ ଖାଦ୍ୟ ସାମଗ୍ରୀ ସହ ଔଷଧ ମଧ୍ୟ ମହଜୁଦ ରଖିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସେମାନେ ପୂର୍ବରୁ ଏହି ଅଞ୍ଚଳର ରେକି କରିଥିଲେ। ସେମାନେ ସ୍ଥାନୀୟ ଦୁଇ ଆତଙ୍କବାଦୀଙ୍କ ସହାୟତାରେ ଏହି ଆକ୍ରମଣକୁ ସଫଳ ରୂପ ଦେଇଥିଲେ। ଦୁଇ ଜଣ ଆତଙ୍କବାଦୀ ପାକିସ୍ତାନର ହୋଇଥିବା ବେଳେ ସ୍ଥାନୀୟ ଦୁଇ ଆତଙ୍କବାଦୀ ହେଉଛନ୍ତି ଆଦିଲ ଓ ଆସିଫ। ସେମାନେ ବିଜଭେରା ଓ ତ୍ରାଲର ଅଞ୍ଚଳର ବୋଲି ଜଣାପଡ଼ିଛି।
ଏହି ଆକ୍ରମଣକାରୀମାନେ ଗତ କାଲି କଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ବୈସରନ ଘାଟି ଜଙ୍ଗଲ ଘେରା ଅଞ୍ଚଳରେ ହୋଇଥିବାରୁ ଆତଙ୍କବାଦୀମାନେ ଆକ୍ରମଣ ପରେ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ତେଣୁ ସେମାନଙ୍କୁ ଧରିବା ପାଇଁ ସୁରକ୍ଷାବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଚଳାଯାଇଛି।