ନୂଆଦିଲ୍ଲୀ, ୨୬/୦୪: ଦକ୍ଷିଣ ଇରାନର ବନ୍ଦର ଅବ୍ବାସସ୍ଥିତ ସାହିଦ ରାଜେଇ ବନ୍ଦରରେ ଶନିବାର ଏକ ଭୟଙ୍କର ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୧୬ ଜଣ ଆହତ ହୋଇଛନ୍ତି। ରାଜେଇ ପୋର୍ଟରେ ଥିବା ବିପୁଳ କଣ୍ଟେନରରୁ ଏହି ବିସ୍ଫୋରଣ ଘଟିଥିବା ଜଣେ ଅଧିକାରୀ କହିଛନ୍ତି।
ଇସ୍ଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି) ନୌସେନା ଘାଟି ନିକଟରେ ଏହି ବିସ୍ଫୋରଣ ଘଟିଛି। ତେବେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଏହି ବିସ୍ଫୋରଣରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛି।
ଏହି ବିସ୍ଫୋରଣରେ ବହୁ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଆହତଙ୍କୁ ଉଦ୍ଧାର କରିବା ପାଇଁ ଭଗ୍ନାବଶେଷ ତଳେ ଖୋଜାଖୋଜି ଆରମ୍ଭ ହୋଇଛି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଅଗ୍ନିକାଣ୍ଡର କୌଣସି ପ୍ରଭାବ ଏହାର ତୈଳ କାରଖାନା ଉପରେ ପଡ଼ିନାହିଁ ବୋଲି ନ୍ୟାସନାଲ ଇରାନ ପେଟ୍ରୋଲିୟମ ରିଫାଇନିଂ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ କମ୍ପାନି (ଏନଆଇପିଆରଡିସି) ସ୍ପଷ୍ଟ କରିଛି।