୧୯୯୪ରେ ଏହି ଦେଶରେ ହୋଇଥିଲା ପ୍ରଥମ ଗଣତାନ୍ତ୍ରିକ ସାଧାରଣ ନିର୍ବାଚନ

ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୨୭ ଏପ୍ରିଲ୍ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ମୁମତାଜ ମହଲ (୨୭ ଅପ୍ରେଲ ୧୫୯୩ – ୧୭ ଜୁନ ୧୬୩୧), ମୋଗଲ ସାମ୍ରାଜ୍ୟର ରାଣୀ ଥିଲେ। ‘ମଲ୍ଲିକା-ଇ-ଜାହାଁ’ (“ବିଶ୍ୱର ରାଣୀ”) ଏବଂ ‘ମଲ୍ଲିକା-ଉଜ୍-ଜାମାନି’ (“ଯୁଗର ରାଣୀ”) ଉପାଧିରେ ତାଙ୍କୁ ମହାରାଣୀ ଭାବରେ ମନୋନୀତ କରାଯାଇଥିଲା। ଆଗ୍ରାରେ ଥିବା ତାଜମହଲକୁ ଶାହାଜାହାଁ ମୁମତାଜ ମହଲଙ୍କ ସମାଧି ସ୍ଥଳ ଭାବରେ ନିର୍ମାଣ କରିଥିଲେ।

୨. ଫିଲିପ୍ ଆବେଲସନ (୨୭ ଅପ୍ରେଲ ୧୯୧୩ – ୧ ଅଗଷ୍ଟ ୨୦୦୪), ଜଣେ ଆମେରିକୀୟ ପଦାର୍ଥ ବିଜ୍ଞାନୀ, ବୈଜ୍ଞାନିକ ସମ୍ପାଦକ ଏବଂ ବିଜ୍ଞାନ ଲେଖକ ଥିଲେ। ସେ କଳିଙ୍ଗ ପୁରସ୍କାର (୧୯୭୨), ଜାତୀୟ ବିଜ୍ଞାନ ପଦକ (୧୯୮୭), ଜନକଲ୍ୟାଣ ପଦକ (୧୯୯୨) ଏବଂ ଭାନେଭର ବୁଶ ପୁରସ୍କାର (୧୯୯୬) ଭଳି ଅନେକ ପୁରସ୍କାର ଜିତିଛନ୍ତି।

୩. ମଣିଭାଇ ଭୀମଭାଇ ଦେଶାଇ (୨୭ ଅପ୍ରେଲ ୧୯୨୦ – ୧୪ ନଭେମ୍ବର ୧୯୯୩) ଜଣେ ଭାରତୀୟ ସମାଜସେବୀ ଥିଲେ। ଉଚ୍ଚଶିକ୍ଷା ସମାପ୍ତ ହେବା ପରେ ସେ ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ସହଯୋଗ କରିଥିଲେ। ଗ୍ରାମୀଣ ବିକାଶର ଅଗ୍ରଦୂତ ଭାବରେ ମଧ୍ୟ ବିବେଚନା କରାଯାଏ। ଦେଶାଇ ୧୯୬୮ରେ ପଦ୍ମଶ୍ରୀ ଏବଂ ୧୯୮୨ରେ ରାମନ ମ୍ୟାଗ୍ସେସେ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ।

୪. ପ୍ରସନ୍ନ କୁମାର ପାଟ୍ଟଶାଣୀ (ଜନ୍ମ ୨୭ ଅପ୍ରେଲ ୧୯୪୬) ଜଣେ ଆଇନଜୀବୀ, ଦାର୍ଶନିକ, ଲେଖକ ଏବଂ ଲୋକସଭାର ପୂର୍ବତନ ସଦସ୍ୟ ଅଟନ୍ତି। ସେ ବିଭିନ୍ନ ଭାଷାରେ ୬୦ଟି ପୁସ୍ତକ ପ୍ରକାଶ କରିଛନ୍ତି ଏବଂ ପାଖାପାଖି ୧୦୦ଟି ପ୍ରବନ୍ଧ ଲେଖିଛନ୍ତି।

୫. ହରିଶ ରାୱତ ଜଣେ ରାଜନେତା। ସେ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ। ସେ ୫ ଥର ସାଂସଦ ହୋଇଥିଲେ। ସେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କ୍ୟାବିନେଟରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ରାଜଶେଖର ବସୁ (୧୬ ମାର୍ଚ୍ଚ ୧୮୮୦ – ୨୭ ଅପ୍ରେଲ ୧୯୬୦) ଜଣେ ବଙ୍ଗୀୟ ଲେଖକ, ରସାୟନ ବିଜ୍ଞାନୀ ଓ ଭାଷା ବିଜ୍ଞାନୀ ଥିଲେ। ୧୯୫୬ ମସିହାରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

୨. ଫିରୋଜ ଖାନ (୨୫ ସେପ୍ଟେମ୍ବର ୧୯୩୯-୨୭ ଅପ୍ରେଲ ୨୦୦୯) ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତା, ଚଳଚ୍ଚିତ୍ର ସମ୍ପାଦକ, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଥିଲେ। ସେ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଥିଲେ ସେଗୁଡ଼ିକ ହେଲା ଔରତ (୧୯୬୭), ସଫର (୧୯୭୦), ମେଳା (୧୯୭୧), ଉପାସନା (୧୯୭୧), ଆରାଧନା (୧୯୭୨), ଖୋଟେ ସିକ୍କାୟ (୧୯୭୪), କାଲା ସୋନା (୧୯୭୫) ଏବଂ ଧର୍ମାତ୍ମା (୧୯୭୫)।

୩. ବିନୋଦ ଖାନ୍ନା (୬ ଅକ୍ଟୋବର ୧୯୪୬-୨୭ ଅପ୍ରେଲ ୨୦୧୭) ଜଣେ ଅଭିନେତା, ପ୍ରଯୋଜକ ଓ ରାଜନୀତିଜ୍ଞ। ୧୯୬୮ ମସିହାରେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ୧୯୮୨ମସିହାରେ ଖାନ୍ନା ତାଙ୍କ ଆଧ୍ୟାତ୍ମିକ ଗୁରୁ ଓଶୋ ରଜନୀଶଙ୍କୁ ଅନୁସରଣ କରିବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ି ଦେଇଥିଲେ। ୨୦୧୮ରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ମଧ୍ୟ ମିଳିଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୫୨୭ – ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାତା ବାବର ଦିଲ୍ଲୀର ସୁଲତାନ ହୋଇଥିଲେ।

୧୭୧୯ – ମୋଗଲ ସମ୍ରାଟ ଫାରୁଖ ସିୟାରଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

୧୮୫୪ – ସର୍ବସାଧାରଣଙ୍କ ପାଇଁ ଟେଲିଗ୍ରାଫ ସେବା ଖୋଲିଥିଲା। ମୁମ୍ବାଇରୁ ପୁନେକୁ ପ୍ରଥମ ଟେଲିଗ୍ରାମ ପଠା ଯାଇଥିଲା।

୧୮୭୭ – କଲିକତା ବିଶ୍ୱବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କୁ ଅନୁମତି ପ୍ରଦାନ କଲା।

୧୯୬୧ – ଗାମା ରଶ୍ମି ର ଅଧ୍ୟୟନ ପାଇଁ ନାସା ଏକ୍ସପ୍ଲୋରାର ୧୧କୁ ପୃଥିବୀ କକ୍ଷପଥକୁ ଉତକ୍ଷେପଣ କରିଥିଲା।

୧୯୮୬ – ପ୍ରଣବ ମୁଖାର୍ଜୀଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା।

୧୯୯୩ – ରାଷ୍ଟ୍ରୀୟ ମହିଳା କୋଷ ପ୍ରତିଷ୍ଠା ହୋଇଥିଲା।

୧୯୯୪ – ଦକ୍ଷିଣ ଆଫ୍ରିକାରେ ପ୍ରଥମ ଗଣତାନ୍ତ୍ରିକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯାହା ଜାତିଗତ ସମାନତା ଏବଂ ବର୍ଣ୍ଣଭେଦକୁ ଦୂର କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହୋଇଥିଲା। କଳା ନାଗରିକଙ୍କୁ ଭୋଟ ଦେବା ପାଇଁ ଅଧିକାର ମିଳିଥିଲା।

୨୦୦୫ – ବିଶ୍ୱର ସର୍ବବୃହତ ଯାତ୍ରୀବାହୀ ବିମାନ ଏୟାରବସ୍ ଏ୩୮୦ ଏହାର ପ୍ରଥମ ପରୀକ୍ଷଣ ଉଡ଼ାଣ ଶେଷ କରିଥିଲା।