ଅନ୍ତର୍ଜାତୀୟ ସୀମାରେ ପାକ ସେନାର ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁର ପରାଗୱାଲ ସେକ୍ଟରରେ ଗୁଳି ବିନିମୟ ଜାରି

ଅତିରିକ୍ତ ବିଏସଏଫ ଯବାନ ମୁତୟନ

ନୂଆଦିଲ୍ଲୀ, ୩୦/୦୪: ଅନ୍ତର୍ଜାତୀୟ ସୀମା ଉଲ୍ଲଂଘନ କରି ଗୁଳି ଚାଳନା କଲା ପାକିସ୍ତାନ ସେନା। ଜମ୍ମୁର ପରାଗୱାଲ ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅନ୍ତର୍ଜାତୀୟ ସୀମାରେ କିଛି ଦିନର ବ୍ୟବଧାନ ପରେ ପୁଣି ଉତ୍ତେଜନା ଦେଖାଦେଇଛି। ମଙ୍ଗଳବାର ରାତିରେ ପାକ୍ ସେନା ଗୁଳିଚାଳନା କରିଛି। ପହଲଗାମ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ପାକ ସେନା ଷଷ୍ଠ ଥର ପାଇଁ ଅସ୍ତ୍ରବିରତି ଉଲଂଘନ କରିଛି।

ଏହି ଅଞ୍ଚଳରେ ମୁତୟନ ଥିବା ଭାରତୀୟ ସେନାର ଯବାନମାନେ ସାମରିକ ଅପରେସନ ମହାନିର୍ଦ୍ଦେଶକ (ଡିଜିଏମଓ)ଙ୍କୁ ସାମ୍ପ୍ରତିକ ପରିସ୍ଥିତି ଏବଂ ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ଅବଗତ କରାଇଥିଲେ। ଏହା ପରେ ଅନ୍ତର୍ଜାତୀୟ ସୀମାରେ ଥିବା ପରାଗୱାଲ ସେକ୍ଟରରେ ଗୁଳିବିନିମୟ ପରେ ପାକିସ୍ତାନର ଗୁଳିଚାଳନାକୁ ତୁରନ୍ତ ଏବଂ ସତର୍କତାର ସହ ଜବାବ ଦେଇଛି ଭାରତ। ଏହି ଅଞ୍ଚଳରେ ଅତିରିକ୍ତ ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଛି।

ଅନ୍ୟପଟେ ନିୟନ୍ତ୍ରଣ ରେଖା ନିକଟରେ ରାଜୌରୀ ଜିଲ୍ଲାର ନୌଶେରା ଓ ସୁନ୍ଦରବନୀ ସେକ୍ଟର ସମେତ ଜମ୍ମୁର ଅଖନୁର ସେକ୍ଟର ଏବଂ ବାରାମୁଲା ଓ କୁପଓ୍ଵାରା ଜିଲ୍ଲାରେ ମଧ୍ୟ ଗୁଳିବିନିମୟ ହୋଇଛି। ଅସ୍ତ୍ରବିରତି ଉଲ୍ଲଂଘନ ସମୟର ପ୍ରମାଣ ଭାରତୀୟ ସେନା ପାଖରେ ରହିଛି। ଅନନ୍ତନାଗ, ପୁଲୱାମାରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଗତ ଏପ୍ରିଲ ୨୨ ଓ ୨୩ ତାରିଖ ରାତିରେ ପହଲଗାମରେ ଓ ପରେ ପୁଞ୍ଚ ଜିଲ୍ଲାରେ ଏପ୍ରିଲ ୨୪ରୁ ୨୭ ତାରିଖ ରାତିରେ କୁପଓ୍ଵାରା ସେକ୍ଟରରେ ସୀମାପାର ଗୁଳିବିନିମୟ ଘଟଣା ସାମନାକୁ ଆସିଥିଲା।