ନୂଆଦିଲ୍ଲୀ, ୦୪/୦୫: ଗୋଟିଏ ପଟେ ଭାରତ ଓ ପାକିସ୍ତାନ ମଧ୍ୟରେ କନ୍ଦଳ ଚାଲିଥିବା ବେଳେ ଦୁଇ ଜଣ ପାକିସ୍ତାନୀ ଗୁପ୍ତଚର ଧରା ପଡ଼ିଛନ୍ତି। ଦୁଇ ପାକିସ୍ତାନୀ ଗୁପ୍ତଚର ଭାରତ ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଯୋଗାଉଥିଲେ। ଏହି ଅଭିଯୋଗରେ ପଞ୍ଜାବ ପୁଲିସ ଦୁଇ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରିଛି। ଭାରତ-ପାକ୍ ସୀମା ନିକଟ ଅମୃତସରର ଅଜନାଲାରୁ ପଲକ୍ଷର ମାସି ଓ ସୁରଜ ମାସି ନାମକ ଏହି ଗୁପ୍ତଚରମାନଙ୍କୁ ଗିରଫ କରାଯାଇଛି।
ସେମାନେ ଅମୃତସରରେ ଥିବା ଏୟାରବେସ୍ ଏବଂ ଅନ୍ୟ ସମ୍ବେଦନଶୀଳ ସ୍ଥାନର ଫଟୋ ଉଠାଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅମୃତସରର ଜେଲରେ ଥିବା ହରପ୍ରିତ ସିଂହ (ମଧ୍ୟସ୍ଥି)ଙ୍କ ଜରିଆରେ ପାକିସ୍ତାନର ଗୁଇନ୍ଦା ବିଭାଗ ସହ ଲିଙ୍କ ଥିଲା। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ଦୁଇ ଯୁବକ ନିଶାଗ୍ରସ୍ତ। ଦୁହେଁ ଶ୍ରମିକ ଭାବେ କାମ କରନ୍ତି। ସେଥିପାଇଁ ସେମାନେ ଆଇଏସ୍ ଆଇ ଜାଲରେ ପଡ଼ିଥିବା ସନ୍ଦେହ କରାଯାଉଛି। ସେମାନଙ୍କର କୌଣସି ଅପରାଧିକ ରେକର୍ଡ ପୁଲିସକୁ ମିଳିନାହିଁ। ତଦନ୍ତ ଜାରି ରହିଛି। ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସି ଆଲର୍ଟ ଜାରି କରିଛନ୍ତି।