ଦିଲ୍ଲୀରେ ଋଷ ବିଜୟର ୮୦ ତମ ବାର୍ଷିକୀ ପାଳିତ

ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇ ଋଷ ଦୂତାବାସରେ  ଉନ୍ମୋଚିତ ହେଲା ସ୍ମାରକୀ ଫଳକ। ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ନବୀନ ପଟ୍ଟନାୟକ।

ଓଡ଼ିଆ ଜାତି ପାଇଁ ଗର୍ବର ମୁହୂର୍ତ୍ତ: ନବୀନ

ଭୁବନେଶ୍ୱର, ୦୭/୦୫: ନାଜିବାଦ ବିରୁଦ୍ଧରେ ରୁଷ ର ବିଜୟର ୮୦ତମ ବାର୍ଷିକୀ ଉତ୍ସବ ପାଳନ ଆରମ୍ଭ ହୋଇଛି। ଏଥିପାଇଁ ମଇ ୯ ତାରିଖରେ ମସ୍କୋରେ ବିଶାଳ ଆୟୋଜନ ଚାଲିଛି। ଏହି ଆୟୋଜନରେ ଜଣେ ମହାନ ଓଡ଼ିଆଙ୍କ ଅବଦାନକୁ କୃତଜ୍ଞତା ସହ ମନେ ପକାଇଛି ଋଷ। ସେ ଓଡ଼ିଆ ବୀର ହେଉଛନ୍ତି ଆମର ପ୍ରିୟ ନେତା ପ୍ରବାଦ ପୁରୁଷ ବିଜୁ ପଟନାୟକ।

ଦ୍ଵିତୀୟ ବିଶ୍ୱଯୁଦ୍ଧରେ ବିଜୁ ବାବୁଙ୍କ ସାହସ ଶୌର୍ଯ୍ୟ ଓ ପରାକ୍ରମର ଗାଥା ଆଜି ପୁଣି ଗୁଞ୍ଜରିତ ହୋଇଥିଲା ନୂଆଦିଲ୍ଲୀର ରୁଷ ଦୁତାବାସ। ରୁଷିଆ ହାଉସର ବର୍ଣାଢ୍ୟ ପରିବେଶରେ ଷ୍ଟାଲିନ ଗ୍ରାଡ଼ ଅଭିଯାନରେ ବିଜୁବାବୁଙ୍କ ଅବଦାନକୁ ସମ୍ମାନ ଜଣାଇବାକୁ ରୁଷିଆ ହାଉସରେ ଆଜି ସକାଳେ ଆୟୋଜିତ ହୋଇଥିଲା ଏକ ଭବ୍ୟ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଜୁ ବାବୁଙ୍କ ସୁପୁତ୍ର ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ। ଭାରତରେ ଋଷର ରାଷ୍ଟ୍ରଦୂତ ମହାମହିମ ଡେନିସ ଅଲିପୋବଙ୍କ ମହାର୍ଘ୍ୟ ଉପସ୍ଥିତିରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ସ୍ମାରକୀ ଫଳକ ଉନ୍ମୋଚନ କରିଥିଲେ।

ଏହି ଅବସରରେ ମହାନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜୁ ବାବୁଙ୍କ ସାହସ ଓ ପରାକ୍ରମ ପାଇଁ ସାରା ଦେଶ ଗର୍ବିତ। ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜଣେ ପାଇଲଟ ଭାବରେ ବିଜୁ ବାବୁ ଯେଭଳି ଅତୁଳନୀୟ ସାହସ ପ୍ରଦର୍ଶନ କରି ଷ୍ଟାଲିନ ଗ୍ରାଡ଼ରେ ଅବରୁଦ୍ଧ ଋଷ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ନାଜି ବିରୁଦ୍ଧରେ ଋଷର ବିଜୟକୁ ସୁଗମ କରି ବିଶ୍ୱକୁ ବିପର୍ଯୟରୁ ବଞ୍ଚାଇଥିଲେ ତାହା ଅନନ୍ୟ। ବିଜୁ ବାବୁଙ୍କ ଏହି ସାହସ ଓ ପ୍ରତିବଦ୍ଧତା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଋଷ ଦୁତାବାସର ଉଚ୍ଚ ଅଧିକାରୀମାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।