ପଦାରେ ପଡ଼ିଲା ପାକ୍ ସେନାର କାରନାମା

ମୃତ ଆତଙ୍କୀଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ସାମିଲ ହୋଇଛି ପାକିସ୍ତାନ ସେନା।

ଆତଙ୍କୀଙ୍କ ନମାଜ-ଏ-ଜନାଜାରେ ସାମିଲ ପାକ୍ ସେନା

ନୂଆଦିଲ୍ଲୀ, ୦୭/୦୫: ବାହାରକୁ ଆତଙ୍କବାଦୀଙ୍କୁ ସମର୍ଥନ କରୁନଥିବା କହୁଥିବା ପାକିସ୍ତାନ ସେନାର ଶେଷରେ ମିଛ ଧରା ପଡ଼ିଯାଇଛି। ପାକିସ୍ତାନ ସେନାର କାରନାମା ପଦାରେ ପଡିଛି। ଆତଙ୍କବାଦୀଙ୍କ ନମାଜ-ଏ-ଜନାଜାରେ ସାମିଲ ହୋଇଛି ପାକ୍ ସେନା।

ନମାଜ-ଏ-ଜନାଜା ହେଉଛି ଇସ୍ଲାମିକ ଅନ୍ତିମ ସଂସ୍କାର ସହିତ ଜଡିତ ସ୍ୱତନ୍ତ୍ର ପ୍ରାର୍ଥନା। ଏହାକୁ ମୃତ ମୁସଲମାନଙ୍କ ପାଇଁ କ୍ଷମା ମାଗିବା ପାଇଁ ଏକ ସାମୂହିକ ଭାବରେ କରାଯାଏ।

ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ଭାରତ ସୀମାପାର ଆକ୍ରମଣରେ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ ପରେ ଅନ୍ତିମ ସଂସ୍କାର କରାଯାଉଥିବା ସୋସିଆଲ ମିଡିଆରେ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି।

ଲସ୍କର-ଇ-ତୋଏବା ଆତଙ୍କବାଦୀ ହାଫିଜ ଅବଦୁଲ ରୌଫ ଲାହୋର ନିକଟସ୍ଥ ମୁରିଦ୍କେଠାରେ ନିହତ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର କରିଥିଲେ। ଏହି ଅନ୍ତିମ ସଂସ୍କାରରେ ହାଫିଜ ସଇଦ ଦ୍ୱାରା ପ୍ରତିଷ୍ଠିତ ଜମାତ-ଉଦ-ଦାଓ୍ଵା (ଜେୟୁଡି)ର ସଦସ୍ୟଙ୍କ ସହିତ ପାକିସ୍ତାନ ସେନାର ଯବାନ, ପୋଲିସ, ବେସାମରିକ ଅଧିକାରୀମାନେ ଯୋଗ ଦେଇଥିଲେ।

ପିଓକେର ମୁଆଜାଫରାବାଦରେ ଏକ ମୃତଦେହକୁ କଫିନ୍ ରେ ବୋହି ନିଆଯାଉଥିବା ବେଳେ ମୁରିଦ୍କେରେ ପାକିସ୍ତାନୀ ସେନାର ଯବାନମାନେ ପାକିସ୍ତାନ ପତାକାରେ ଗୁଡ଼ା ହୋଇଥିବା କଫିନ୍ ନେଇ ଯାଉଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ୯ଟି ଆତଙ୍କୀ ଆଡ୍ଡା ଯଥା ସୱାଇ ନାଲା, ସରଜଲ, ମୁରିଦ୍କେ, କୋଟଲି, କୋଟଲି ଗୁଲପୁର, ମେହମୁନା ଜୋୟା, ଭୀମବର ଏବଂ ବାହାୱଲପୁରରେ ଏୟାର ଷ୍ଟ୍ରାଇକ କରିଥିଲା। ଅପରେସନ ସିନ୍ଦୁର ଅଧିନରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଅଜହର ର ପରିବାରର ୧୦ ଜଣ ସଦସ୍ୟ ଏବଂ ୪ ଜଣ ସହଯୋଗୀ ନିହତ ହୋଇଛନ୍ତି।