ଅପରେସନ ସଙ୍କଳ୍ପ ସଫଳ

ସୁରକ୍ଷାବାହିନୀକୁ ବଡ଼ ସଫଳତା

ନୂଆଦିଲ୍ଲୀ, ୦୮/୦୫: ତେଲେଙ୍ଗାନା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ବୁଧବାର ଦିନ ‘ଅପରେସନ ସଂକଳ୍ପ’ ରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୨୨ ଜଣ ନକ୍ସଲ ନିହତ ହୋଇଛନ୍ତି।

ଏପ୍ରିଲ ୨୧ତାରିଖରୁ ଆରମ୍ଭ ହୋଇଥିବା ଏହି ଅପରେସନ ପରଠାରୁ ଘନ ଜଙ୍ଗଲ ଘେରା କାରେଗୁଟ୍ଟା ଓ ଏହାର ଆଖପାଖ ପାହାଡ଼ିଆ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଅତି କମରେ ୩୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୬ ଜଣ ମାଓବାଦୀଙ୍କ ମୃତଦେହ ଏବଂ ୪୦ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଏହି ଅପରେସନ ସମୟରେ ୪୦୦ରୁ ଅଧିକ ଆଇଇଡି, ପାଖାପାଖି ୨ ଟନ୍ ବିସ୍ଫୋରକ ସାମଗ୍ରୀ ଏବଂ ୬ ଟନ୍ରୁ ଅଧିକ ରାସନ ସାମଗ୍ରୀ, ଔଷଧ, ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି।

ଅପରେସନ ସଂକଳ୍ପରେ ପ୍ରାୟ ୨୮,୦୦୦ ସୁରକ୍ଷା କର୍ମୀ ସାମିଲ ଅଛନ୍ତି। ଏହି ଯବାନମାନେ ହେଲେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ବସ୍ତର ଫାଇଟର୍ସ, ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ), ରାଜ୍ୟ ପୋଲିସ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏବଂ ଏହାର ଏଲିଟ୍ ୟୁନିଟ୍ କୋବ୍ରା (କମାଣ୍ଡୋ ବାଟାଲିୟନ ଫର ରିଜୋଲୁଟ୍ ଆକ୍ସନ) ସମେତ ବିଭିନ୍ନ ୟୁନିଟର ସଦସ୍ୟ।

ଗତ କାଲି ସକାଳେ କାରେଗୁଟ୍ଟା ଅଞ୍ଚଳରେ ହୋଇଥିବା ଗୁଳିବିନିମୟ ପରେ ୨୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏମାନଙ୍କ ପରିଚୟ ମିଳିପାରିନାହିଁ। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ସଦ୍ୟତମ ଏନକାଉଣ୍ଟରକୁ ମିଶାଇ ଚଳିତ ବର୍ଷ ଛତିଶଗଡ଼ରେ ପୃଥକ ଏନକାଉଣ୍ଟରରେ ୧୬୮ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିଜାପୁର ସମେତ ୭ଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରୁ ୧୫୧ ଜଣଙ୍କୁ ନିପାତ କରାଯାଇଛି।