ନୂଆଦିଲ୍ଲୀ, ୦୮/୦୫: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ପାକିସ୍ତାନର ଗୁଳିମାଡ଼ରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ଭାରତୀୟ ସେନାର ୧୬ କର୍ପସ ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ସୂଚନା ଦେଇଛି। ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତ ଏୟାର ଷ୍ଟ୍ରାଇକ କରିବା ପରେ ପାକିସ୍ତାନ ତା’ର ଜବାବରେ ଏହି ଗୁଳିଚାଳନା କରିଛି।
“ଜିଓସି ଏବଂ ହ୍ୱାଇଟ୍ ନାଇଟ୍ କର୍ପସର ଲିଉଟନାଣ୍ଟ ଦିନେଶ କୁମାରଙ୍କ ସର୍ବୋଚ୍ଚ ବଳିଦାନକୁ ନତମସ୍ତକ କରୁଛି, ଯିଏ କି ମେ ୦୭ ରେ ପାକିସ୍ତାନ ସେନାର ଗୁଳିମାଡରେ ସହିଦ ହୋଇଥିଲେ। ପୁଞ୍ଚ ସେକ୍ଟରରେ ନିରୀହ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ପୀଡ଼ିତଙ୍କ ସହ ଆମେ ଏକଜୁଟ୍ ହୋଇ ରହିଛୁ।” ବୋଲି ଏକ୍ସରେ କହିଛି ଭାରତୀୟ ସେନା।
ଏପ୍ରିଲ ୨୨ ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ତିନିଟି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ, ଲସ୍କର-ଇ-ତୋଏବା ଏବଂ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଶିବିର ଉପରେ ଭାରତ ‘ଅପରେସନ ସିନ୍ଦୁର’ ନାମରେ ଏୟାର ଷ୍ଟ୍ରାଇକ କରିଥିଲା।
ଏହି ଏୟାର ଷ୍ଟ୍ରାଇକ ପରେ ପାଲଟା ଜବାବ ଦେଇଥିଲା ପାକିସ୍ତାନ ସେନା। ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ମନଇଚ୍ଛା ଗୁଳିଚାଳନା କରିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଓ ତଙ୍ଗଧାର ଅଞ୍ଚଳରେ ପାକିସ୍ତାନର ସୀମାପାର ଗୁଳିବିନିମୟରେ ୧୫ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି। ଭାରତୀୟ ସେନା ମଧ୍ୟ ଏହାର ଜବାବ ଦେଇ କୁପଓ୍ଵାରା ଏବଂ ରାଜୌରୀ-ପୁଞ୍ଚ ସେକ୍ଟରରେ ଥିବା ଏକାଧିକ ପାକିସ୍ତାନୀ ସେନା ପୋଷ୍ଟକୁ ଟାର୍ଗେଟ କରି ଗୁଳିଚାଳନା କରିଛି।