ନୂଆଦିଲ୍ଲୀ, ୧୩/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ୨ ଦିନ ପାଇଁ ଥମିଥିବା ବେଳେ ଗତ କାଲି ରାତିରେ ପୁଣି ଭାରତର କିଛି ଅଞ୍ଚଳରେ ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷଣ ଓ ଡ୍ରୋନ ଦେଖି ଆଜି ପାଇଁ ଉତ୍ତର ଓ ପଶ୍ଚିମ ଭାରତର ଅନେକ ସହରକୁ ବିମାନ ଉଡାଣ ସ୍ଥଗିତ ରଖାଯାଇଛି। ଜାତୀୟ ନିରାପତ୍ତା ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ଚଳାଚଳକୁ ସ୍ଥଗିତ ରଖିଛନ୍ତି।
ଇଣ୍ଡିଗୋ ପକ୍ଷରୁ ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼ ଓ ରାଜକୋଟରୁ ଆସୁଥିବା ସମସ୍ତ ବିମାନକୁ ବାତିଲ କରାଯାଇଛି। ଜମ୍ମୁ, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ଆସୁଥିବା ବିମାନକୁ ବାତିଲ କରିବାକୁ ଏୟାର ଇଣ୍ଡିଆ ଘୋଷଣା କରିଛି।
ଏୟାରଲାଇନ୍ସ କହିଛି, “ସଦ୍ୟତମ ଘଟଣାକୁ ଦୃଷ୍ଟିରେ ରଖି ଏବଂ ଆପଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ଆସୁଥିବା ବିମାନଗୁଡ଼ିକ ମେ ୧୩ ତାରିଖ ମଙ୍ଗଳବାର ପାଇଁ ବାତିଲ କରାଯାଇଛି। ଆମେ ପରିସ୍ଥିତି ଉପରେ ନଜର ରଖିଛୁ ଏବଂ ଆପଣଙ୍କୁ ଅପଡେଟ୍ ରଖିବୁ।
ସାମ୍ବା, ଅଖନୁର, ଜୈସଲମେର ଓ କଠୁଆରେ ଡ୍ରୋନ୍ ଦେଖିବା ପରେ ଏୟାରଲାଇନ୍ସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଭାରତୀୟ ସେନା ମଙ୍ଗଳବାର ସ୍ପଷ୍ଟ କରିଛି ଯେ ନିକଟରେ କୌଣସି ଡ୍ରୋନ୍ ଗତିବିଧି ଠାବ ହୋଇନାହିଁ ଏବଂ ଅସ୍ତ୍ରବିରତି ବନ୍ଦ ରହିଛି। ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ସାମ୍ବା ସେକ୍ଟରରେ ପାକିସ୍ତାନୀ ଡ୍ରୋନକୁ ଖସାଇଛି।