ଆହୁରି ମାସେ ଯାଏଁ ପାକ୍ ବିମାନ ଓ ସାମରିକ ବିମାନ ପାଇଁ ଭାରତୀୟ ଆକାଶମାର୍ଗ ବନ୍ଦ
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନୋଟାମ୍ ଜାରି
ନୂଆଦିଲ୍ଲୀ, ୨୩/୦୫: ଗତ ଏପ୍ରିଲ ୨୨ ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତୀୟ ଆକାଶପଥକୁ ପାକିସ୍ତାନ ବିମାନ ଉଡ଼ାଣ ପାଇଁ ଜାରି କରାଯାଇଥିବା ନିଷେଧାଦେଶକୁ ଆହୁରି ମାସେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜୁନ୍ ୨୩ ପର୍ଯ୍ୟନ୍ତ ପାକିସ୍ତାନର ସାମରିକ ବିମାନ ସମେତ ପାକିସ୍ତାନୀ ଏୟାରଲାଇନ୍ସ ଦ୍ୱାରା ଲିଜ୍ ରେ କିମ୍ବା ପରିଚାଳିତ ବିମାନ ଭାରତୀୟ ଆକାଶମାର୍ଗକୁ ପ୍ରବେଶ କରିପାରିବ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାରି ହୋଇଛି ନିର୍ଦ୍ଦେଶନାମା।
ଭାରତୀୟ ବିମାନ ଉଡ଼ାଣ ପାଇଁ ପାକିସ୍ତାନ ତା’ର ଆକାଶମାର୍ଗକୁ ଆହୁରି ମାସେ ପାଇଁ ବନ୍ଦ କରିବାକୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାର ଦୁଇ ଦିନ ପରେ ଭାରତ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ଏପ୍ରିଲ୍ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ସମର୍ଥିତ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ହାତ ଥିବା ଜଣା ପଡ଼ିବା ପରେ ଭାରତ ପାକିସ୍ତାନ ଉପରେ କଟକଣା ଜାରି କରିଥିଲା। ତେବେ ପାକିସ୍ତାନ ପ୍ରଥମେ ଭାରତୀୟ ବିମାନ ପାଇଁ ଆକାଶମାର୍ଗ ବନ୍ଦ କରିବାର ସପ୍ତାହେ ପରେ ଭାରତ ମଧ୍ୟ ତା’ର ଆକାଶମାର୍ଗ ପାକିସ୍ତାନ ପାଇଁ ବନ୍ଦ କରିଥିଲା। ଭାରତ ପାକିସ୍ତାନ ଦ୍ୱାରା ପଞ୍ଜୀକୃତ, ପରିଚାଳିତ କିମ୍ବା ଲିଜ୍ ରେ ଦିଆଯାଇଥିବା ସମସ୍ତ ବିମାନ ପାଇଁ ନୋଟାମ୍ ଜାରି କରିଥିଲା।