ଚାକିରି ଆଶାୟୀଙ୍କ ପାଖରେ ଇଣ୍ଟରଭିୟୁରେ ଦେଖାଦେଉଛି ଆତ୍ମବିଶ୍ବାସର ଅଭାବ
ମାତ୍ର ୩୨% ଆଶାୟୀ ସାକ୍ଷାତକାର ପାଇଁ ପ୍ରସ୍ତୁତ: ‘ଇଣ୍ଟରଭ୍ୟୁ ରିଡିନେସ୍ ଇଣ୍ଡେକ୍ସ ୨୦୨୫’ ରିପୋର୍ଟ
ମୁମ୍ବାଇ, ୨୩/୦୫: ଚାକିରି ଆଶାୟୀଙ୍କ ସଂଖ୍ୟା ବହୁତ। କିନ୍ତୁ ଅଧିକାଂଶ ଚାକିରି ଆଶାୟୀଙ୍କ ପାଖରେ ଦେଖାଦେଉଛି ଆତ୍ମବିଶ୍ବାସର ଅଭାବ। ବିନା ପ୍ରସ୍ତୁତିରେ ସାକ୍ଷାତକାରର ସାମ୍ନା କରୁଥିବାରୁ ଚାକିରି ପାଇବାରେ ବିଫଳତାର ସାମ୍ନା କରୁଛନ୍ତି ଭାରତୀୟ। ଏ ନେଇ ‘ଇଣ୍ଟରଭ୍ୟୁ ରିଡିନେସ୍ ଇଣ୍ଡେକ୍ସ ୨୦୨୫’ ଏକ ରିପୋର୍ଟ ପ୍ରକାଶ କରିଛି।
ଯେଉଁଥିରେ ଉଲ୍ଲେଖ ରହିଛି ଯେ, ୩୨ ପ୍ରତିଶତ ଚାକିରି ଆଶାୟୀ ନିଜକୁ ସାକ୍ଷାତକାର ପାଇଁ ପ୍ରସ୍ତୁତ ବୋଲି ଭାବନ୍ତି। କିନ୍ତୁ ପ୍ରକୃତରେ ନିଯୁକ୍ତିଦାତା ମାନଙ୍କୁ ସାମ୍ନା କରିବା ସମୟରେ ସେମାନଙ୍କ ପାଖରେ ଆତ୍ମବିଶ୍ୱାସର ଅଭାବ ଦେଖା ଦେଇଥାଏ।
Apna.co ପକ୍ଷରୁ କରାଯାଇଥିବା ସର୍ଭେ ‘ଇଣ୍ଟରଭ୍ୟୁ ରେଡିନେସ୍ ଇଣ୍ଡେକ୍ସ ୨୦୨୫’ ସାରା ଦେଶରେ ୧୦,୦୦୦ରୁ ଅଧିକ ଲୋକଙ୍କୁ ନେଇ ହୋଇଥିଲା।
ରିପୋର୍ଟରୁ ଜଣା ପଡିଛି ଯେ, ୬ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ପ୍ରାୟ ୪୯ ପ୍ରତିଶତ ପ୍ରାର୍ଥୀ ସାକ୍ଷାତକାର ପାଇଁ ଭଲ ଭାବରେ ପ୍ରସ୍ତୁତି କରନ୍ତି। କିନ୍ତୁ ୩ରୁ ୬ ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୩୪ ପ୍ରତିଶତଙ୍କ ଭଲ ପ୍ରସ୍ତୁତି ଥାଏ। ୧ରୁ ୩ ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କ ମଧ୍ୟରେ ଆତ୍ମବିଶ୍ୱାସର ସ୍ତର ଆହୁରି ହ୍ରାସ ପାଇ ୨୯ ପ୍ରତିଶତ ଥାଏ।
ଏପରିକି ବିଭିନ୍ନ ସହରକୁ ନେଇ ମଧ୍ୟ ଆତ୍ମବିଶ୍ବାସକୁ ନେଇ ପାର୍ଥକ୍ୟ ଦେଖା ଦେଇଥାଏ। ଟାୟାର-୧ ସହରଗୁଡ଼ିକରେ ୪୫ ପ୍ରତିଶତ ଚାକିରି ଆଶାୟୀ ସାକ୍ଷାତକାର ପାଇଁ ପ୍ରସ୍ତୁତ ଥିବା ବେଳେ ଟାୟାର-୨ ସହରଗୁଡ଼ିକରେ ୩୨ ପ୍ରତିଶତ ଏବଂ ଟାୟାର-୩ ସହରଗୁଡ଼ିକରେ ମାତ୍ର ୨୬ ପ୍ରତିଶତଙ୍କ ପାଖରେ ଆତ୍ମବିଶ୍ବାସ ପରିଲକ୍ଷିତ ହୋଇଥାଏ।
ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଅନଲାଇନ୍ ଟ୍ୟୁଟୋରିଆଲ୍, ମକ୍ ଇଣ୍ଟରଭ୍ୟୁ ଏବଂ ଏଆଇ ପ୍ଲାଟଫର୍ମରେ ଟ୍ୟୁଟର ନେଇ ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବେଶୀ ଆତ୍ମବିଶ୍ବାସର ଅଭାବ ରହୁଛି।
Apna.co ପ୍ରତିଷ୍ଠାତା ତଥା ସିଇଓ ନିର୍ମିତ ପାରିଖ କହିଛନ୍ତି, “ଭାରତରେ ଚାକିରି ପାଇଁ ବିପୁଳ ସୁଯୋଗ ରହିଛି। କିନ୍ତୁ ୨୦୨୫ର ପ୍ରଥମ ୩ ମାସ ମଧ୍ୟରେ ଅପନାରେ ୩.୧ ଲକ୍ଷ ଚାକିରିରେ ନିଯୁକ୍ତି ଦିଆଯାଇଛି। ତେଣୁ ଏଥିରୁ ହିଁ ଜଣାପଡ଼ୁଛି ଯେ, ଏବେ ବି ବହୁ ଚାକିରି ଆଶାୟୀଙ୍କ ପାଖରେ ଆତ୍ମବିଶ୍ବାସର ଅଭାବ ରହୁଛି। ଏଥିପାଇଁ ସେମାନଙ୍କ ପାଖରେ ଥିବା ପ୍ରକୃତ ସାମର୍ଥ୍ୟ ପ୍ରତିଫଳିତ ହେଉ ପାରୁନାହିଁ।”