ପାକିସ୍ତାନକୁ ଘାରିଛି ଅସ୍ତିତ୍ବ ହରାଇବା ଭୟ

ଚୀନ ସହ ମିଶି ଭାରତ ବିରୋଧରେ ରଚୁଛି ବଡ଼ ଷଡ଼ଯନ୍ତ୍ର!

‘ୱାର୍ଲ୍ଡ ଥ୍ରେଟ୍ ଆସେସମେଣ୍ଟ’ ରିପୋର୍ଟରେ ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ, ୨୬/୦୫: ଚୀନ ବଳରେ ବଳୀୟାନ ହେଉଛି ପାକିସ୍ତାନ। ଚୀନର ସାମରିକ ଓ ଆର୍ଥିକ ସହାୟତାରେ ପାକିସ୍ତାନ ତା’ର ପରମାଣୁ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରୁଛି। ଏ ନେଇ ଆମେରିକା ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସି ପକ୍ଷରୁ ‘ୱାର୍ଲ୍ଡ ଥ୍ରେଟ୍ ଆସେସମେଣ୍ଟ’ ରିପୋର୍ଟରେ ପ୍ରକାଶ ପାଇଛି।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ପାକିସ୍ତାନକୁ ତା’ର ଅସ୍ତିତ୍ବ ହରାଇବା ଭୟ ଘାରିଛି। ତେଣୁ ଭାରତ ବିରୋଧରେ ରଚୁଛି ବଡ଼ ଷଡ଼ଯନ୍ତ୍ର। ଆଗାମୀ ବର୍ଷଗୁଡିକରେ ପାକିସ୍ତାନ ସେନାର ପଡ଼ୋଶୀ ଦେଶ ଭାରତ ସହ ସୀମା ପାର ସଂଘର୍ଷ ହେବାର ସମ୍ଭାବନା ଥିବାରୁ ଏବେଠାରୁ ତା’ର ପରମାଣୁ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରୁଛି।

ପାକିସ୍ତାନ ତା’ର ପରମାଣୁ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରିବା ସହିତ ପରମାଣୁ ସାମଗ୍ରୀର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି। ପାକିସ୍ତାନ ତା’ର ଗଣ ବିଧ୍ୱଂସୀ ପରମାଣୁ ଅସ୍ତ୍ରଶସ୍ତ୍ର ସବୁ ଚୀନରୁ କ୍ରୟ କରୁଛି।

ରିପୋର୍ଟ ଅନୁଯାୟୀ, ଚୀନ୍ ପାକିସ୍ତାନର ସାମରିକ ସରଞ୍ଜାମର ମୁଖ୍ୟ ଯୋଗାଣକାରୀ ହୋଇଥିବା ବେଳେ ପାକିସ୍ତାନରେ କାର୍ଯ୍ୟରତ ଚୀନ୍ ନାଗରିକଙ୍କୁ ଟାର୍ଗେଟ କରି କ୍ରମାଗତ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ତେବେ ପାକିସ୍ତାନ ଭାରତକୁ ଏକ ବିପଦ ବୋଲି ଭାବୁଥିବାରୁ ପରମାଣୁ ଅସ୍ତ୍ରର ବିକାଶ ସମେତ ସାମରିକ ଆଧୁନିକୀକରଣ ପ୍ରୟାସ ଜାରି ରଖିଛି।

ଏହି ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଚୀନର ମୁକାବିଲା ପାଇଁ ଭାରତ ଭାରତ ମହାସାଗର ଅଞ୍ଚଳରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ଭାଗିଦାରୀକୁ ସୁଦୃଢ଼ କରିବାକୁ ପ୍ରାଥମିକତା ଦେଉଛି।

ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସି ଅଗ୍ନି-୧ ପ୍ରାଇମ୍ ମଧ୍ୟମ ଦୂରତା ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଏମ୍ଆର୍ବିଏମ୍), ଏକାଧିକ ସ୍ୱାଧୀନ ଭାବେ ଟାର୍ଗେଟେବଲ୍ ରିଏଣ୍ଟ୍ରି ଯାନ (ଏମ୍ଆଇଆରଭି) ସହିତ ଅଗ୍ନି-୫ ର ପରୀକ୍ଷଣ ଏବଂ ଦ୍ବିତୀୟ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ କାର୍ଯ୍ୟକ୍ଷମ କରିଛି ବୋଲି ରିପୋର୍ଟରେ ପ୍ରକାଶ‌ କରିଛି। ଭାରତ ଋଷିଆଠାରୁ ସାମରିକ ଅସ୍ତ୍ରଶସ୍ତ୍ର କ୍ରୟ କରିବା ଜାରି ରଖିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।