ହେବ କି ବଡ଼ ଯୁଦ୍ଧ? ଆଲର୍ଟରେ ସେନା!

ପୁଣି ହେବ ମକଡ୍ରିଲ; ବାଜିବ ଯୁଦ୍ଧ ସାଇରନ

ଜାଣନ୍ତୁ କେବେ ଓ କେଉଁଠି ହେବ

ନୂଆଦିଲ୍ଲୀ, ୨୮/୦୫: ଗଲା କିଛି ଦିନ ହେବ ସରିଛି ଭାରତ ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧ ପରିସ୍ଥିତି। ଦୀର୍ଘ ଦିନର ଉତ୍ତେଜନା ପରେ ଶାନ୍ତ ରହିଛି ସୀମାନ୍ତ ରାଜ୍ୟ। ହେଲେ ଆଗକୁ ପୁଣି ହେବ କି ବଡ଼ ଯୁଦ୍ଧ? ଏ ନେଇ ଭାରତ ଆଗୁଆ ପ୍ରସ୍ତୁତି କରିଛି। ଆସନ୍ତାକାଲି ପୁଣି ଯୁଦ୍ଧ ପୂର୍ବ ପ୍ରସ୍ତୁତି ପାଇଁ ଭାରତ ଓ ପାକିସ୍ତାନ ସୀମାନ୍ତ ରାଜ୍ୟରେ ହେବ ମକଡ୍ରିଲ।

ପାକିସ୍ତାନ ସୀମାନ୍ତରେ ଥିବା ୪ଟି ରାଜ୍ୟ ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଓ ଜମ୍ମୁ-କଶ୍ମୀରରେ ଗୁରୁବାର ସନ୍ଧ୍ୟାରେ ଭାରତ ବେସାମରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରିବାକୁ ଯାଉଛି। ସୀମାପାର ଶତ୍ରୁତା କିମ୍ବା ଆତଙ୍କବାଦୀ ଆକ୍ରମଣ ହେଲେ ଜରୁରୀକାଳୀନ ପ୍ରତିକ୍ରିୟା ସ୍ବରୂପ ତ୍ୱରିତ ସ୍ଥାନାନ୍ତରଣ ଓ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ପାଇଁ ଏହି ଅଭ୍ୟାସ କରାଯିବ।

ଏହି ଅଭ୍ୟାସରେ ସ୍ଥାନୀୟ ବେସାମରିକ ପ୍ରତିରକ୍ଷା ଦଳ, ପୋଲିସ, ବିପର୍ଯ୍ୟୟ ମୁକାବିଲା ୟୁନିଟ୍ ଏବଂ ଡାକ୍ତରୀ କର୍ମଚାରୀ ସାମିଲ ହେବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ମେ ୬ ଓ ୭ ତାରିଖ ରାତିରେ ଅପରେସନ୍ ସିନ୍ଦୁର ଆରମ୍ଭ କରିଥିଲା। ଏଥିରେ ପାକିସ୍ତାନ ଓ ପାକ୍ ଅଧିକୃତ ଜମ୍ମୁ-କଶ୍ମୀର (ପିଓଜେକେ)ରେ ଥିବା ଆତଙ୍କବାଦୀ ଶିବିର ଏବଂ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରି ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଥିଲା।

ଭାରତର ଏହି ପ୍ରତିଆକ୍ରମଣ ପରେ ପାକିସ୍ତାନ ଭାରତୀୟ ସାମରିକ ସ୍ଥଳ ଏବଂ ସାଧାରଣ ନାଗରିକଙ୍କ ସମେତ ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରିଥିଲା। ଦୀର୍ଘ ଦିନର ତୀବ୍ର ଉତ୍ତେଜନା ପରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲା। ଉଭୟ ଦେଶରେ ଡିଜିଏମଓ ସ୍ତରୀୟ ଆଲୋଚନା ପରେ ମେ ୧୦ରେ ଅସ୍ତ୍ରବିରତି ହୋଇଥିଲା।

ତେବେ ଭାରତ ଅପରେସନ ସିନ୍ଦୂର ରହିବା ପରେ ମେ ୭ ତାରିଖରେ ଦେଶବ୍ୟାପୀ ୨୪୪ଟି ନିର୍ଦ୍ଦିଷ୍ଟ ସ୍ଥାନରେ ମକଡ୍ରିଲ କରାଯାଇଥିଲା‌। ଯେଉଁଥିରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଦେଶବ୍ୟାପୀ ଅଭ୍ୟାସର ଉଦ୍ଦେଶ୍ୟ ରହିଥିଲା।

ମକଡ୍ରିଲ ହେଲେ କ’ଣ ପଦକ୍ଷେପ ନେବେ:-

୧. ଶତ୍ରୁତାପୂର୍ଣ୍ଣ ଆକ୍ରମଣ ହେଲେ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଆକାଶମାର୍ଗରୁ ସାଇରନ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ଚେତାବନୀ ଆକାରରେ ଏହି ସାଇରନକୁ କାର୍ଯ୍ୟକ୍ଷମ କରାଯିବ।

୨. ଆକ୍ରମଣ ସମୟରେ ନାଗରିକଙ୍କ ସୁରକ୍ଷା ଦିଗ ଉପରେ ଦୃଷ୍ଟି ଦିଆଯାଇ ସାଧାରଣ ନାଗରିକ, ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ।

୩. ଜରୁରୀ ସମୟରେ ଆଲୋକ ନିୟନ୍ତ୍ରଣ ପାଇ ବ୍ଲାକ୍ ଆଉଟ୍ ବ୍ୟବସ୍ଥା କରାଯିବ।

୪. ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ଶତ୍ରୁ ଆଢ଼ୁଆଳରେ ରଖିବା ପାଇଁ ଛଦ୍ମ ବେଶର ବ୍ୟବସ୍ଥା କରାଯିବ।

୫. ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍କାସନ ଯୋଜନାକୁ ବ୍ୟାପକ କରାଯିବ।