ଶପଥ ନେଲେ ସୁପ୍ରିମକୋର୍ଟର ୩ ନୂଆ ବିଚାରପତି

ପୂରଣ ହେଲା ସମସ୍ତ ୩୪ ପଦ

ନୂଆଦିଲ୍ଲୀ, ୩୦/୦୫: ପୂରଣ ହେଲା ସୁପ୍ରିମକୋର୍ଟର ସମସ୍ତ ୩୪ଟି ପଦ। ଆଜି ୩ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିବା ପରେ ଏହି ପଦବୀ ପୂରଣ ହୋଇଛି। ସୁପ୍ରିମକୋର୍ଟର ୩ ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ବିଆର୍ ଗବାଇ।

କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏନଭି ଅଞ୍ଜରିଆ, ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ ବିଷ୍ଣୋଇ ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଏଏସ୍ ଚାନ୍ଦୁରକରଙ୍କୁ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତି ଦିଆଯାଇଛି।

ସେମାନଙ୍କ ଶପଥ ଗ୍ରହଣ ପରେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଧାନ ବିଚାରପତିଙ୍କ ସମେତ ସମସ୍ତ ୩୪ଟି ପଦ ପୂରଣ ହୋଇଛି। ତେବେ ଆସନ୍ତା ଜୁନ୍ ୯ ତାରିଖରେ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଅବସର ଗ୍ରହଣ କରିବାକୁ ଯାଉଥିବାରୁ ପୁଣି ଗୋଟିଏ ବିଚାରପତି ପଦ ଖାଲି ପଡ଼ିବ।

ପୂର୍ବତନ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ହୃଷିକେଶ ରାୟଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବର୍ତ୍ତମାନର ପ୍ରଧାନ ବିଚାରପତି ବିଆର ଗବାଇଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ନ୍ୟାୟାଳୟ କଲେଜିୟମ ତିନି ଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦେବାକୁ ସୁପାରିସ କରିଥିଲେ। ଏହାର କିଛି ଦିନ ପରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମେ ୨୯ରେ ସେମାନଙ୍କ ନିଯୁକ୍ତି ଘୋଷଣା କରିଥିଲେ।