ଭୁବନେଶ୍ୱର, ୩୧/୦୫: ଖୁବଶୀଘ୍ର ଓଡ଼ିଶାର ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ମାଷ୍ଟରକ୍ୟାଣ୍ଟିନ୍ ଛକର ନାମ ପରିବର୍ତ୍ତନ କରାଯାଇପାରେ। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରିବା ଓ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାର ମାଷ୍ଟରକ୍ୟାଣ୍ଟିନର ନାମ ପରିବର୍ତ୍ତନ ପାଇଁ ବିଚାର କରୁଛନ୍ତି। ଇଂରେଜ ଅମଳରୁ ଥିବା ନାଁଗୁଡ଼ିକ ବଦଳାଇ ଓଡ଼ିଆ ନାମ ରଖାଯିବ ବୋଲି ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ଆଇନଜୀବୀ ତଥା ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ୨୦୨୧ ମାର୍ଚ୍ଚ ମାସରୁ ଏହି ଛକର ନାମ ପରିବର୍ତ୍ତନ କରିବାକୁ ସରକାରଙ୍କୁ ଅନୁରୋଧ କରି ଆସୁଛନ୍ତି। ଓଡ଼ିଆ ସଂସ୍କୃତି ଓ ସଭ୍ୟତା ଅନୁସାରେ ନାମ ରଖିବାକୁ ଦାବି କରି ଆସୁଛନ୍ତି।
ରାଜ୍ୟରେ ମୋହନ ସରକାର ଆସିବା ପରଠାରୁ ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ ହୋଇଥିବା ବେଳେ ମୋ ବସର ନାମ କରାଯାଇ ଆମ ବସ୍ ରଖାଯାଇଥିଲା। ସେହିପରି ଏବେ ମାଷ୍ଟରକ୍ୟାଣ୍ଟିନ ନାଁ ମଧ୍ୟ ପରିବର୍ତ୍ତନ ହେବ ବୋଲି ମନ୍ତ୍ରୀ ଘୋଷଣା କରିବା ପରେ କେଉଁ ନାମ ରଖାଯିବ ତାକୁ ନେଇ ସମସ୍ତଙ୍କ ନଜର ରହିଛି।