କୋକସରା,୩୧/୦୫(ଦର୍ଶନ ନ୍ୟୁଜ୍):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିର୍ଲିଗୁଡା ଆମପଡା ଛକଠାରୁ ଲିମପଡା ଦେଇ ଧର୍ମଗଡ ବ୍ଳକର ତେଣ୍ଡାପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ବର୍ଷରୁ ଶୋଚନୀୟ ହୋଇପଡ଼ିଛି।ଯାହା ଫଳରେ ଯିବା ଆସିବା କରିବାରେ ଅଞ୍ଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନା ଅନୁସାରେ, ଟେମରା ପଞ୍ଚାୟତର ସିର୍ଲିଗୁଡା ଆମପଡା ଛକଠାରୁ ଲିମପଡା ଦେଇ ଧର୍ମଗଡ ବ୍ଳକର ତେଣ୍ଡାପାଲି ପର୍ଯ୍ୟନ୍ତ ରାସ୍ତା ପ୍ରାୟ ୭ କିଲୋମିଟର ରହିଛି। ଯାହା କୋକସରା ଓ ଧର୍ମଗଡ ବ୍ଳକକୁ ଯୋଡିଛି। ଏହି ରାସ୍ତା ଉପରେ ଗୋତମୁଣ୍ଡା ଠାରୁ ଆରମ୍ଭ କରି ନେଗୀଗୁଡା, ଟେମରା, ଝରିଆଗୁଡା, ଲଟାପଡା, ଚିତାମୁଣ୍ଡା, ଦଳସର୍ଗି, ତେଣ୍ଡାପାଲି, ବାଙ୍ଗିମୁଣ୍ଡା, ଛତାଗୋହିରା, ନୁନପାଣି, ସିର୍ଲିଗୁଡା ଆଦି ଗ୍ରାମର ଲୋକେ ନିର୍ଭର କରିଥାନ୍ତି। ଦୈନନ୍ଦିନ ଜୀବନ ଜୀବିକା, ମେଡିକାଲ ଓ ଛାତ୍ର ଛାତ୍ରୀ ଏହି ରାସ୍ତା ଦେଇ ସ୍କୁଲ ଓ କଲେଜ ଯାଉଛନ୍ତି। ବର୍ଷା ଦିନେ ରୋଗୀଙ୍କୁ ଖଟିଆରେ ବୋହି ନେବା ଓ ଘରକରଣା ସାମଗ୍ରୀ ପାଇଁ ବଳଦ ଚାଳିତ ଗିଡରି ସାହାଯ୍ୟରେ ନେବା ଆଣିବା କରୁଥିବା ଲୋକେ କୁହନ୍ତି। ଦଣ୍ଡପାଟ ଅଞ୍ଚଳର ପ୍ରମୁଖ ବ୍ୟବସାୟିକ ସ୍ଥାନ ବେହେରା ଗ୍ରାମକୁ ଏହି ରାସ୍ତା ସଂଯୋଗ କରୁଛି। ଖରାଦିନେ ଲୋକେ ଏହି ରାସ୍ତାରେ କଷ୍ଟେ ମଷ୍ଟେ ଯା’ ଆସ କରୁଥିବାବେଳେ ବର୍ଷା ଦିନର କଥା ନକହିବା ଭଲ। ରାସ୍ତାର ସ୍ଥାନେ ସ୍ଥାନେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ପୋଖରୀ ଭ୍ରମ ସୃଷ୍ଟି ହୋଇଛି। ରାସ୍ତା ସମସ୍ୟାକୁ ନେଇ ସିର୍ଲିଗୁଡା ସମେତ ଆଖପାଖ ଅଞ୍ଚଳର ଲୋକେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ବିଧାୟକ ଓ ମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଦାବି କରିବା ପରେ ଗତ ୨୦୨୩/୨୪ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ସର୍ଭେ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହେବ ବୋଲି ବିଭାଗୀୟ ପତ୍ର ସଂଖ୍ୟା- ୨୩୩୪୫, ତାରିଖ ୨୨/୭/୨୦୨୪ ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ଓ ଏଥିରେ ପ୍ରାୟ ୬.୮୦ କିଲୋମିଟର ରାସ୍ତା ନିମନ୍ତେ ୭କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସିର୍ଲିଗୁଡା ଗ୍ରାମବାସୀ ପ୍ରକାଶ କରିଛନ୍ତି। ହେଲେ ଏହି ବିଜ୍ଞପ୍ତିକୁ ବର୍ଷେ ପାଖାପାଖି ହେବ, କିନ୍ତୁ ରାସ୍ତା ନିର୍ମାଣର ନାଁ ଗନ୍ଧ ମଧ୍ୟ ନାହିଁ। ଏଣେ ନେତା ଓ ପ୍ରଶାସକଙ୍କୁ ପଚାରିଲେ ଆଜି ହେବ କାଲି ହେବ, ଟେଣ୍ଡର ସରିଛି ଏଭଲି କିଛି କହୁଥିବାରୁ ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆଗକୁ ଯଦି ଶିଘ୍ର ରାସ୍ତା ନିର୍ମାଣ କରା ନଗଲେ ସ୍ଥାନୀୟ ଅଞ୍ଚଳବାସୀ ରାଜ ରାସ୍ତାକୁ ଓହ୍ଲେଇବା ସହ ଆଗାମୀ ନିର୍ବାଚନରେ ଭୋଟବର୍ଜନ କରିବା ପାଇଁ ଶ୍ୟାମ ସୁନ୍ଦର ନାଏକ, ଲଷ୍ମୀଧର ଧରୁଆ, ଭଲଭଦ୍ର ପୁଝାରୀ, ତରୁଣ ମାଝୀ, ଲୋକନାଥ ଭଏଁସାଲ, କର୍ଣ୍ଣଧର ଦୁର୍ଗା, ସୁଗ୍ରୀ ବାଗ, ଘନ ବାଗ, ଦେବାନନ୍ଦ ମାଝୀ, ଡମ୍ବରୁଧର ଧରୁଆ, ଥବୀର ବିଶି ସମେତ ଆଖପାଖ ଅଞ୍ଚଳର ଲୋକେ କଡ଼ା ଚେତାବନୀ ଦେଇଛନ୍ତି। ଏ ବିଷୟରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ପଚାରିବାରୁ କହିଛନ୍ତି ଆମେ ପୂର୍ବରୁ ପ୍ରସ୍ତାବ ଦେଇ ସାରିଛୁ, ଅନୁଦାନ ଆସିଛି, ଟେଣ୍ଡର ପ୍ରକ୍ରିୟାରେ ଅଛି ବୋଲି କହିଛନ୍ତି। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କୁ ପଚାରିବାରୁ ବିଭାଗ ସହିତ କଥାବାର୍ତ୍ତା ହୋଇ ଶୀଘ୍ର ରାସ୍ତା ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବାକୁ କହିଛନ୍ତି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କୁ ପଚାରିବାରୁ ଟେଣ୍ଡର ପ୍ରକ୍ରିୟାରେ ରହିଛି, ସରିଲେ ଶିଘ୍ର କାମ ହେବ ବୋଲି କହିଛନ୍ତି।