ଭୁବନେଶ୍ୱର, ୩୧/୦୫: ଅବକାରୀ ଆଇନରେ କଠୋର ହେବ ଦଣ୍ଡବିଧାନ ବ୍ୟବସ୍ଥା। ବେଆଇନ ମଦ କାରବାରରେ ରୋକ ଲଗାଇବା ପାଇଁ ପୁରୁଣା ଆଇନ ଅନୁଯାୟୀ କଠୋର ଦଣ୍ଡ ବ୍ୟବସ୍ଥା ପ୍ରଣୟନ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ନିଶା ବିରୋଧରେ ପ୍ରତି ଗାଁ ଓ ପ୍ରତି ପରିବାରରେ ପହଞ୍ଚିଲା ଭଳି ଏକ ସଚେତନତା କାର୍ଯ୍ୟକ୍ରମ ଅବକାରୀ ବିଭାଗ ଆରମ୍ଭ କରିଛି। ଆଜିଠୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁନ୍ ୨୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଚାଲିବ। ପରବର୍ତ୍ତୀ ସମୟରେ ଏଇ ବର୍ଷ ଆଉ ଦୁଇଟି ପର୍ଯ୍ୟାୟ ଆଗକୁ କରାଯିବ।
ଜଏଣ୍ଟ ଅପରେସନ ମାଧ୍ୟମରେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରିବା, ଗଞ୍ଜେଇ ବିକ୍ରି ପ୍ରତିହତ କରିବା, ଡ୍ରଗ୍ସ ବ୍ୟାପାର, ଅବୈଧ ମଦ ବେପାର ଏବଂ ତମାଖୁର ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଏକ ସଚେତନତା ସୃଷ୍ଟି କରିବା ପାଇଁ ଆମେ ପ୍ରକ୍ରିୟା ଆରମ୍ଭ କରିଛୁ।
ସେହି ଦୃଷ୍ଟିରୁ ବିଭାଗକୁ ନୀତିରେ ଯେଉଁ ନୂତନତ୍ବ ଆଣିବାର ଆବଶ୍ୟକତା ଅଛି, ଆଇନ ଦୃଷ୍ଟିରୁ ଅବକାରୀ ନିୟମରେ ଯେଉଁ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି, ତାକୁ ପରିବର୍ତ୍ତନ କରାଯିବ। ସେସନ୍ସ କୋର୍ଟରେ ସ୍ୱତନ୍ତ୍ର ଅବକାରୀ ଓକିଲ ନିଯୁକ୍ତ ହେବେ। ଏହାକୁ ନେଇ ସରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।