ନରୱେ ଚେସ୍ ୨୦୨୫ ଟୁର୍ଣ୍ଣାମେଣ୍ଟରେ ଡି ଗୁକେଶଙ୍କ ଐତିହାସିକ ବିଜୟ

ଶୁଭେଚ୍ଛା ଜଣାଇଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ, ୦୨/୦୬: ୧୭ ବର୍ଷୀୟ ବିଶ୍ୱ ଚାମ୍ପିୟନ ଗୁକେଶ ଡି ନରୱେ ଚେସ୍ ୨୦୨୫ର ଷଷ୍ଠ ରାଉଣ୍ଡରେ ପୂର୍ବତନ ବିଶ୍ୱ ଚାମ୍ପିୟନ ମାଗ୍ନାସ କାର୍ଲସେନଙ୍କୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ପୂର୍ବତନ ୱାର୍ଲ୍ଡ ଚାମ୍ପିଅନ୍ ଓ ବିଶ୍ୱର ନମ୍ବର ଓ୍ୱାନ୍ ଖେଳାଳୀ ମାଗ୍ନସ୍ କାର୍ଲସେନ୍‌ଙ୍କୁ classical format ରେ ପରାସ୍ତ କରିଛନ୍ତି। ତେବେ କାର୍ଲସେନଙ଼କୁ କ୍ଲାସିକାଲ ଫର୍ମାଟରେ ହରାଇଥିବା ଡି ଗୁକେଶଙ୍କ ପୂର୍ବରୁ ଆର ପ୍ରଗ୍ନାନନ୍ଦ ବି ହରାଇଥିଲେ।

ହେଲେ ମାଗ୍ନସ୍ କାର୍ଲସେନ୍‌ ତାଙ୍କ ପରାଜୟକୁ ସହଜରେ ଗ୍ରହଣ କରି ପାରିନଥିଲେ। ସେ ଗେମ୍ସରେ ପରାସ୍ତ ହେବା ପରେ ଚେସ୍ ଟେବୁଲ୍ ଉପରେ ହାତ ବାଡ଼େଇ ସେଠାରୁ ଉଠି ପଳାଇଥିଲେ। କିନ୍ତୁ ଡି ଗୁକେଶ ଅତ୍ୟନ୍ତ ଶାନ୍ତ ଭାବରେ ଗେମ୍ସରେ ନିଜର ବିଜୟକୁ ଗ୍ରହଣ କରିଥିଲେ। କାର୍ଲସେନ କହିଛନ୍ତି ଯେ, ସେ ଗୁକେଶଙ୍କ କନସେପ୍ଟ ଠିକ୍ ଭାବରେ ବୁଝି ପାରିନଥିଲେ। ଗୁକେଶ କହିଛନ୍ତି, ସମୟ କେତେବେଳେ ବି ନିଜ ନିୟନ୍ତ୍ରଣରୁ ବାହାରି ଯାଇପାରେ।

ଗୁକେଶଙ୍କ ବିଜୟ ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। “ବିଶ୍ୱର ଏକ ନମ୍ବର ଖେଳାଳି ମାଗ୍ନାସ୍ କାର୍ଲସନଙ୍କ ବିପକ୍ଷରେ ଗୁକେଶଙ୍କ ପ୍ରଥମ କ୍ଲାସିକାଲ ବିଜୟ ଐତିହାସିକ। ଏହି ବିଜୟ କେବଳ ଗୁକେଶଙ୍କ ପାଇଁ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ନୁହେଁ ବରଂ ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆତ୍ମବିଶ୍ୱାସ ଏବଂ ନିଷ୍ଠା ଦ୍ୱାରା କ’ଣ ସବୁ ହାସଲ କରାଯାଇ ପାରିବ ତାହା ସେ ସାରା ବିଶ୍ୱକୁ ଦେଖାଇଛନ୍ତି। ତାଙ୍କ ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେଉ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।