RCB ବିଜୟ ଉତ୍ସବରେ ଅଘଟଣ: ଦଳାଚକଟାରେ ଗଲା ୧୧ ଜୀବନ
ବଢୁଛି ମୃତାହତଙ୍କ ସଂଖ୍ୟା
୧୫ ମିନିଟରେ ସରିଲା ବିଜୟ ଉତ୍ସବ କାର୍ଯ୍ୟକ୍ରମ
ବେଙ୍ଗାଲୁରୁ, ୦୪/୦୬: ଆଇପିଏଲ୍ ଟାଇଟଲ ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ବିଜୟ ପ୍ୟାରେଡ଼ ଉତ୍ସବ ବାତିଲ ହୋଇଥିବା ବେଳେ କେବଳ ବିଜୟ ଉତ୍ସବ ପାଇଁ ଅନୁମତି ଦେଇଥିଲେ ବେଙ୍ଗାଲୁରୁ ପ୍ରଶାସନ। ହେଲେ ଦଳକୁ ସମ୍ବର୍ଦ୍ଧିତ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବୁଧବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ସୃଷ୍ଟି ହୋଇଛି ଅପ୍ରିତୀକର ପରିସ୍ଥିତି। ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ଥିବାରୁ ଦଳା ଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।
ଦୀର୍ଘ ୧୮ ବର୍ଷର ପ୍ରତୀକ୍ଷା ପରେ ଆରସିବିର ପ୍ରଥମ ଆଇପିଏଲ ଟାଇଟଲ ଜିତି ଥିବାରୁ ଦଳକୁ ସମ୍ମାନିତ କରିବା ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦର୍ଶକଙ୍କ ପାଇଁ ବୈଧ ଟିକେଟ ବା ପାସ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପ୍ରଶଂସକମାନେ ସେମାନଙ୍କ ମନ ପସନ୍ଦର କ୍ରିକେଟରଙ୍କ ଝଲକ ଦେଖିବା ପାଇଁ ଷ୍ଟାଡିୟମ ପରିସରରେ ପ୍ରବଳ ଭିଡ଼ ଜମିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଷ୍ଟାଡିୟମ ନିକଟରେ ଏକ ଡ୍ରେନ ଉପରେ ଅସ୍ଥାୟୀ ସ୍ଲାବ ଉପରେ ଭାରୀ ସଂଖ୍ୟାରେ ଲୋକ ଛିଡ଼ା ହେବାରୁ ତାହା ଗଳି ପଡ଼ିଥିଲା। ଯାହା ଫଳରେ ଦଳାଚକଟା ବଢ଼ି ଏକାଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରାୟ ୫ ହଜାର ଯବାନ ମୁତୟନ ହୋଇଥିଲେ। ତେବେ କେତେ ସଂଖ୍ୟକ ମୃତ୍ୟୁ ହୋଇଛି ସେ ସମ୍ପର୍କରେ ତଥ୍ୟ ଦେଇନାହାନ୍ତି। ତେବେ ମୃତାହତଙ୍କ ସଂଖ୍ୟା ବଢୁଥିବାରୁ ୧୦-୧୫ ମିନିଟ୍ ମଧ୍ୟରେ କାର୍ଯ୍ୟକ୍ରମ ଶେଷ ହୋଇଥିବା କହିଛନ୍ତି।