RCB ବିଜୟ ଉତ୍ସବରେ ଦଳାଚକଟା: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ
ଆହତଙ୍କ ମାଗଣା ଚିକିତ୍ସା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା
ବେଙ୍ଗାଲୁରୁ, ୦୫/୦୬: ଆଇପିଏଲ୍ ଟାଇଟଲ ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ବିଜୟ ଉତ୍ସବରେ ଦଳକୁ ସମ୍ବର୍ଦ୍ଧିତ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବୁଧବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ଥିବାରୁ ଦଳା ଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଶିବାଜୀନଗରର ବୋରିଂ ହସ୍ପିଟାଲରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମାଲ୍ୟା ରୋଡସ୍ଥିତ ବୈଦେହି ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି ଯେ ସେଠାରେ ଭର୍ତ୍ତି ହୋଇଥିବା ୧୫ ଜଣ ଆହତଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ମଣିପାଳ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି।
ଏହି ଘଟଣାରେ ଦୁଃଖ ପ୍ରକାଶ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିବା ସହ ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।