ନୂଆଦିଲ୍ଲୀ, ୦୬/୦୬: ୨୦୨୫ ଅଗଷ୍ଟ ୩ ତାରିଖରେ ନିଟ୍-ପିଜି ପରୀକ୍ଷା ଗୋଟିଏ ସିଫ୍ଟରେ ଆୟୋଜନ କରିବାକୁ ସୁପ୍ରିମ୍ କୋର୍ଟ ନ୍ୟାସନାଲ୍ ବୋର୍ଡ ଅଫ୍ ଏକଜାମିନେସନ୍ (ଏନବିଇ)କୁ ଅନୁମତି ଦେଇଛନ୍ତି। ଆଉ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି।
ପ୍ରଥମେ ଏହି ପରୀକ୍ଷା ଜୁନ୍ ୧୫ ତାରିଖରେ ହେବାର ଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଟ୍ ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପରୀକ୍ଷାରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ସ୍ନାତକୋତ୍ତର ମେଡିକାଲ ପ୍ରବେଶିକା ପରୀକ୍ଷା ଗୋଟିଏ ସିଫ୍ଟରେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଥିଲା। ଏହା ସହ ଗୋଟିଏ ସିଫ୍ଟରେ ପରୀକ୍ଷା ହେବାର ଥିବାରୁ ଅଧିକ ସଂଖ୍ୟକ ସିଟ୍ ଆବଶ୍ୟକ। ତେଣୁ ଏହାକୁ ସୁନିଶ୍ଚିତ କରିବାକୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ପରୀକ୍ଷା ଗୋଟିଏ ସିଫ୍ଟରେ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।