କିଏ ହେବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

ଦୌଡରେ ଥିବା ୩ ହେଭିୱେଟଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ଏଇ ନେତା

ନୂଆଦିଲ୍ଲୀ, ୦୭/୦୬: ବିଜେପି ବାଛିବ ରାଷ୍ଟ୍ରୀୟ ଅଧ୍ୟକ୍ଷ। ତା’ ପୂର୍ବରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ଦଳୀୟ ସୂତ୍ରରୁ କୌଣସି ସୂଚନା ନ ମିଳିଥିଲେ ବି ଜୁନ୍ ମଧ୍ୟ ଭାଗରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ତେବେ କିଛି ରାଜ୍ୟରେ ସାଂଗଠନିକ ନିର୍ବାଚନ ଶେଷ ହୋଇଥିବା ବେଳେ ଆଉ କିଛି ରାଜ୍ୟ ବାକି ରହିଯାଇଛି। ତେଣୁ ବିଜେପି ନୂଆ ରାଷ୍ଟ୍ରୀୟ ସଭାପତି ନିଯୁକ୍ତ କରିବା ପୂର୍ବରୁ ବାକି ରହି ଯାଇଥିବାର ରାଜ୍ୟ ଗୁଡ଼ିକରେ ପ୍ରଥମେ ରାଜ୍ୟ ସଭାପତି ନିଯୁକ୍ତ କରିବ। ସବୁଠୁ ଗୁରୁତ୍ୱ ବହନ ରଖୁଥିବା ଉତ୍ତରପ୍ରଦେଶର ବିଭିନ୍ନ‌ ଜିଲ୍ଲାର ସଭାପତି ଚୟନ ହୋଇଥିବା ବେଳେ ରାଜ୍ୟ ସଭାପତି କେନ୍ଦ୍ରୀୟ ନେତୃତ୍ବ ବାଛିବେ ବୋଲି ସୂଚନା ମିଳିଛି। ତେବେ ରାଜ୍ୟଗୁଡିକର ସଭାପତି ପଦ ପାଇଁ ଓବିସି ଚେହେରା ହୋଇପାରେ।

ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଦକ୍ଷ, ଅଭିଜ୍ଞ ଓ ଓବିସି ଚେହେରାଙ୍କୁ ନିଯୁକ୍ତ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ରେସରେ ଥିବା ୩ ହେଭିୱେଟଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ପ୍ରମୁଖ ଓବିସି ନେତା ଧର୍ମେନ୍ଦ୍ର ପ୍ରଧାନ। ତାଙ୍କର ସାଂଗଠନିକ ଦକ୍ଷତା ଥିବାରୁ ଓ ସେ କେନ୍ଦ୍ରୀୟ ନେତୃତ୍ୱଙ୍କ ଖୁବ ନିକଟତର ହୋଇଥିବାରୁ ତାଙ୍କ ନାଁ ସର୍ବପ୍ରଥମେ ଆସୁଛି। ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରହିଛନ୍ତି। ଏହା ପରେ ଆସୁଛନ୍ତି ଶିବରାଜ ସିଂହ ଚୌହାନ। ସେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତୃଣମୂଳ ସ୍ତରର ଜଣେ ଅଭିଜ୍ଞ ନେତା। ତୃତୀୟରେ ଆସୁଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଏବେ ସେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ତାଙ୍କ ପାଖରେ ମଧ୍ୟ ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ପଦ ପାଇଁଁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜାନୁଆରୀ ୨୦୨୦ରୁ ଏହି ପଦରେ ଅଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।