ପାରଳାଖେମୁଣ୍ଡି, ୦୮/୦୫: ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ ଜବତ କରିବାକୁ ଯାଇ ୨୬ ଜଣ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଓ ପୋଲିସ ଗାଡି ଭଙ୍ଗା ରୁଜା କରିବା ଘଟଣାରେ ପୋଲିସ ୬୮ ଦିନ ପରେ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଘଟଣାରୁ ପ୍ରକାଶ, ଗତ ମାର୍ଚ୍ଚ ମାସ ୨୧ ତାରିଖ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଡ଼ିଆରୀ ଗ୍ରାମରେ ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ଦଳ ଫେରୁଥିବା ବେଳେ ଗ୍ରାମ ଠାରୁ କିଛି ଦୂରରେ ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ୨୪ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ତିନି ଜଣ ଅଭିଯୁକ୍ତଙ୍କୁ ଶନିବାର ଦିନ ମୋହନା ପୁଲିସ୍ ସେମାନଙ୍କ ନିଜ ଗ୍ରାମରୁ ଗିରଫ କରିବାରେ ସଫଳ ହୋଇଛନ୍ତି। ସେମାନେ ହେଲେ ପିଡ଼ିଆରୀ ଗ୍ରାମର ସୁବାଶ ରଇତ, ଜିରିମିୟ ମାଝୀ ଓ ଯୁବ ଗାଁର ମାର୍ଟିନ୍ ମାଝୀ। ଏହି ୩ ଜଣଙ୍କୁ ଗତକାଲି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ମୋହନା ଥାନା ଅଧୂକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।