ୱାଶିଂଟନ, ୦୮/୦୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପୂର୍ବତନ ସହଯୋଗୀ ଏଲନ ମସ୍କଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ବିବାଦ ଏତେ ବଢିଲାଣି ଯେ, ଟ୍ରମ୍ପ ମସ୍କଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଏବଂ ଆଗକୁ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି।
ଏକ ଗଣମାଧ୍ୟମ ସାକ୍ଷାତକାର ସମୟରେ ମସ୍କଙ୍କ ସହ ସମ୍ପର୍କ ସୁଧାରିବାକୁ ଚାହିଁବେ କି ନାହିଁ ବୋଲି ଟ୍ରମ୍ପଙ୍କୁ ପଚରାଯାଇଥିଲା। ମସ୍କଙ୍କ ସହ ତାଙ୍କର ସମ୍ପର୍କ ଏତିକିରେ ହିଁ ଶେଷ ବୋଲି କି ପଚରାଯାଇଥିଲା। ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ ଯେ, ହଁ ଏପରି କିଛି। ଟ୍ରମ୍ପ ଆହୁରି ମଧ୍ୟ ମସ୍କଙ୍କୁ ଖୋଲା ଚ୍ୟାଲେଞ୍ଜ କରି କହିଥିଲେ ଯେ, ଯଦି ଆଗକୁ ମସ୍କ ଡେମୋକ୍ରାଟିକ ଦଳକୁ ନିର୍ବାଚନରେ ସାହାଯ୍ୟ କରନ୍ତି ତାହାଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ।
ଟ୍ରମ୍ପ କହିଥିଲେ, ଆପଣ ଜାଣନ୍ତି ମୁଁ ଅନ୍ୟାନ୍ୟ କାମରେ ବ୍ୟସ୍ତ ଅଛି। ମୁଁ ବିପୁଳ ବ୍ୟବଧାନରେ ନିର୍ବାଚନ ଜିତିଛି। ମୁଁ ମସ୍କଙ୍କୁ ମୋ ପ୍ରଶାସନରେ ଅନେକ ସୁଯୋଗ ଦେଇଛି। ମୋ ପ୍ରଶାସନରେ ମୋ ସହିତ କାମ କରିବାର ସୁଯୋଗ ମଧ୍ୟ ଦେଇଥିଲି। ମୁଁ ମୋର ପ୍ରଥମ ପ୍ରଶାସନ ସମୟରେ ତାଙ୍କ ଜୀବନ ମଧ୍ୟ ରକ୍ଷା କରିଥିଲି। କିନ୍ତୁ ଏବେ ମୋର ମସ୍କଙ୍କ ସହ ଉପୁଜିଥିବା ବିବାଦକୁ ନେଇ କୌଣସି ସମାଧାନ କରିବାର ନାହିଁ ବୋଲି ସିଧା ଶୁଣାଇଥିଲେ ଟ୍ରମ୍ପ। ଯଦି ସେ ଆଗାମୀ ୨୦୨୬ ନିର୍ବାଚନରେ ଡେମୋକ୍ରାଟିକ ଦଳକୁ ସାହାଯ୍ୟ କରନ୍ତି, ତାହାଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ।
ସୂଚନାଯୋଗ୍ୟ, ଟ୍ରମ୍ପ ଆଣିଥିବା ବିଗ୍ ବିୟୁଟିଫୁଲ ବିଲକୁ ବିରୋଧ କରି ମସ୍କ ଅସନ୍ତୋଷ କରି ଟ୍ରମ୍ପଙ୍କ ପ୍ରଶାସନକୁ ଇସ୍ତଫା ଦେବା ପରେ ଏ ସବୁ ବିବାଦ ଉପୁଜିଛି।