ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

'ପୁଞ୍ଜିନିବେଶ ବଢିବ, ଶିଳ୍ପର ବିକାଶ ହେବ'

ସମୃଦ୍ଧ ଓଡ଼ିଶା ୨୦୩୬ ଲକ୍ଷ୍ୟ ପୂରା କରିବ ଆଗାମୀ ୪ ବର୍ଷ

ଭୁବନେଶ୍ୱର, ୦୮/୦୬: ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବିଭିନ୍ନ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି।

ଓଡ଼ିଶାର ଉନ୍ନତିରେ ଅଂଶୀଦାର ଥିବାରୁ ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡ଼ିଶା କିପରି ଶିଳ୍ପାୟନ ହବ ପାଲଟିଛି ଓ ଆନ୍ତର୍ଜାତୀୟ ବଜାରର ଚାହିଦା ପୂରଣ ଦିଗରେ ଶିଳ୍ପ ଗୁଡ଼ିକ ପାଇଁ ଓଡ଼ିଶା ସରକାର କ’ଣ ସବୁ ପଦକ୍ଷେପ ନେଉଛନ୍ତି, ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ। ସରକାର ନିଯୁକ୍ତି ସୃଷ୍ଟି କରିବା ଓ ନିଯୁକ୍ତି ଦେବା ଉପରେ ପ୍ରାଧାନ୍ୟ ଦେଉଛନ୍ତି, ତେଣୁ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଓଡ଼ିଶାକୁ ପାୱାର ହାଉସ କରିବା ପରିଣତ କରିବା ଯାତ୍ରାରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି।

ଶିଳ୍ପପତିମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ଷେ ତଳେ ଓଡ଼ିଶାବାସୀ ନୂତନ ଭବିଷ୍ୟତ ଗଠନ ଦିଗରେ ଆମ ଉପରେ ଆସ୍ଥା ପ୍ରକଟ କରିଥିଲେ। ଆଜି ଯେତେବେଳେ ଆମେ ଗୋଟିଏ ବର୍ଷ ପୂରା କରିଛୁ, ଆମେ ଗର୍ବର‌ ସହିତ କରୁଛୁ। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ସବୁ କିଛି ବଦଳାଇ ଦେଇଥିଲା। ଓଡ଼ିଶାରେ ଟଙ୍କା ଖଟାଇବା ପାଇଁ ନିବେଶକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଆମ ପାଇଁ ଅତ୍ୟନ୍ତ ଲାଭଦାୟକ ଥିଲା। ୧୬.୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୧୫୦ରୁ ଉର୍ଦ୍ଧ୍ବ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।‌ ଯେଉଁଥିରେ ୧୨ ଲକ୍ଷ ୯୦ ହଜାରରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା। କେବଳ ଗତ ବର୍ଷ ୨୦୬ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହା କି ପୂର୍ବ ପାଞ୍ଚ ବର୍ଷ ତୁଳନାରେ ଦୁଇଗୁଣ ଅଧିକ। ଏଥିରେ ୪.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ସହିତ ପ୍ରାୟ ୨.୯ ଲକ୍ଷ ନିଯୁକ୍ତି ସୁଯୋଗ ରହିଛି।

ଉତ୍କର୍ଷ ଓଡ଼ିଶା ପରେ ୧.୭୮ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଥିବା ୫୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ସରିଛି। ଯେଉଁଥିରେ ୧.୧ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ।

୨୦ଟି ସେକ୍ଟରରେ ଏହି ଅଭିବୃଦ୍ଧି ଘଟିଛି। ଖଣି, ଧାତୁବିଜ୍ଞାନ, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ ଓ ବୟନଶିଳ୍ପ, ଅକ୍ଷୟ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ ଓ ପର୍ଯ୍ୟଟନ କ୍ଷେତ୍ରରେ ଏହି ଅଭିବୃଦ୍ଧି ଘଟିଛି। ଓଡ଼ିଶା ଏବେ କେବଳ ଭାରତର ଖଣିଜ ଓ ଧାତୁ ହବ୍ ନୁହେଁ, ବରଂ ବିଭିନ୍ନ ଶିଳ୍ପର ପାୱାର ହାଉସ ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ତୁଳନାରେ ଆମେ ଏହି ଗୋଟିଏ ବର୍ଷରେ ଅଧିକ କରିଛୁ। ଆଗାମୀ ବର୍ଷ ପାଇଁ ଆମେ ୪ଟି ପ୍ରାଥମିକତା ଉପରେ ଧ୍ୟାନ ଦେଉଛୁ। ପ୍ରଥମେ, ଆମେ ନୂତନ ନୀତି ଆଣିବୁ ଯାହା ଉଦୀୟମାନ କ୍ଷେତ୍ରଗୁଡିକରେ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା କରିବ। ଦ୍ବିତୀୟତଃ, ଭବିଷ୍ୟତର ଚାହିଦା ପୂରଣ କରିବା ପାଇଁ ଆମେ ଆମର ଲ୍ୟାଣ୍ଡବ୍ୟାଙ୍କ ଏବଂ ଶିଳ୍ପ ଭିତ୍ତିଭୂମିର ସମ୍ପ୍ରସାରଣ କରିବୁ। ତୃତୀୟତଃ, ଆମେ ଆମର ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବୁ ଏବଂ ଏକ ଆଧୁନିକ, ସମନ୍ୱିତ ପ୍ରୋଜେକ୍ଟ ଟ୍ରାକିଂ ପ୍ଲାଟଫର୍ମ ବିକଶିତ କରିବୁ। ଚତୁର୍ଥ, ଆମେ କଠିନ ନିୟମକୁ ନିୟନ୍ତ୍ରଣ ମୁକ୍ତ ଏବଂ ସରଳ କରିବୁ। ଏହି ପଦକ୍ଷେପଗୁଡ଼ିକ ରିୟଲ ଟାଇମ୍ ଅଗ୍ରଗତି ତଦାରଖ ସୁନିଶ୍ଚିତ କରିବ।

ସମୃଦ୍ଧ ଓଡ଼ିଶା ୨୦୩୬ ପାଇଁ ଆଗାମୀ ୪ ବର୍ଷ ଆମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବ। ଆମେ ଆଇଓସିଏଲ୍, ଜେଏସଡବ୍ଲ୍ୟୁ, ଜେଏସପିଏଲ୍, ଟାଟା ଷ୍ଟିଲ୍, ଏଏମ୍ଏନ୍ଏସ୍, ବେଦାନ୍ତ, ହିଣ୍ଡାଲ୍କୋ ଏବଂ ଆଦାନି ସହଯୋଗରେ ମାଇନିଂ, ଧାତୁ ଓ ସବୁଜ ରସାୟନ କ୍ଷେତ୍ରରେ ଆମ ନେତୃତ୍ବକୁ ସୁଦୃଢ କରିବୁ। ପାରାଦୀପ-ଧାମରା-ଗୋପାଳପୁରରେ ନୂଆ ଟର୍ମିନାଲ, ଜେଟି ଓ କଣ୍ଟେନର ପରିଚାଳନା କ୍ଷମତା ମାଧ୍ୟମରେ ବନ୍ଦର ଭିତ୍ତିକ ଶିଳ୍ପାୟନକୁ ସୁଦୃଢ଼ କରାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରି ପୂର୍ବ ଭାରତର ଏକ ଦ୍ରୁତ ବିକାଶଶୀଳ ଶିଳ୍ପ ହବରେ ପରିଣତ ହୋଇଛି।

ଏହି ଅବସରରେ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ମତ୍ସ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଶିଳ୍ପ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିଳ୍ପ ବିଭାଗ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ।