ପାଟନା, ୨୬/୦୬: ଶିକ୍ଷା ଏଭଳି ଏକ ଜିନିଷ, ଯାହା ଗ୍ରହଣ କରିବା ପାଇଁ ହେଉ କିମ୍ବା ଦାନ କରିବା ପାଇଁ ହେଉ ତା’ର କୌଣସି ବୟସର ସୀମା ନଥାଏ। ଏହା ପ୍ରମାଣିତ କରିଛନ୍ତି ବିହାର ମନ୍ତ୍ରୀ ଅଶୋକ ଚୌଧୁରୀ। ୫୮ ବର୍ଷ ବୟସରେ ସେ ସହକାରୀ ପ୍ରଫେସର ହେବାକୁ ଯାଉଛନ୍ତି। କିନ୍ତୁ ସେ ଏହାକୁ ଗ୍ରହଣ କରିବେ କି ତାଙ୍କର ରାଜନୈତିକ ଯାତ୍ରା ଜାରି ରଖିବେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ଯଦି ସେ ଅଧ୍ୟାପନା କରନ୍ତି ତାହାଲେ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡିବ ନହେଲେ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ୱତନ୍ତ୍ର ଅନୁମତି ଆଣିବାକୁ ପଡିବ।
ଶ୍ରୀ ଚୌଧୁରୀ ୨୦୨୦ ମସିହାରେ ଏହି ପଦବୀ ପାଇଁ ଆବେଦନ କରିଥିଲେ। ମନ୍ତ୍ରୀ ପାଞ୍ଚ ବର୍ଷ ପରେ ସହକାରୀ ପ୍ରଫେସର ପଦବୀରେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିଲେ। ଅନୁସୂଚିତ ଜାତି (ST) ବର୍ଗରେ ସେ ଚୟନ ହୋଇଥିଲେ।
ଏ ବିଷୟରେ ସେ କହିଛନ୍ତି ଯେ ସେ ରାଜନୀତି ଛାଡିବେ ନାହିଁ କିମ୍ବା ସହକାରୀ ପ୍ରଫେସର ଭାବେ ଦରମା ନେବେ ନାହିଁ। ମୋ ବାପା, ଯିଏ ମୋତେ ରାଜନୀତିରେ ପ୍ରବେଶ କରିବାକୁ ପ୍ରେରଣା ଦେଇଥିଲେ, ସେ ମଧ୍ୟ ମୋତେ ରାଜନୀତିରେ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବାକୁ କହିଥିଲେ। ଏହି କାରଣରୁ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମୁଁ ମୋର ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିଲି ଏବଂ ମଗଧ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିଲି। ୨୦୨୦ରେ ଏହି ପଦବୀ ପାଇଁ ଆବେଦନ କରିଥିଲି। ମୁଁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଯେଉଁ ରାଜନୀତିରେ ଅଛି ତାହା ଛାଡିବାର କୌଣସି ପ୍ରଶ୍ନ ଉଠୁ ନାହିଁ। ତଥାପି, ମୁଁ କୌଣସି ଦରମା ନ ନେଇ ଜଣେ ସହକାରୀ ପ୍ରଫେସର ଭାବେ ଅଧ୍ୟାପନା କରିବାକୁ ଇଚ୍ଛୁକ।” ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ତାଙ୍କ ବାପା ସ୍ୱର୍ଗତ ମହାବୀର ଚୌଧୁରୀ, ୧୯୮୦ ଦଶକରେ ବିହାରରେ କଂଗ୍ରେସ ଶାସନ ସମୟରେ ମନ୍ତ୍ରୀ ଥିଲେ। ତାଙ୍କ ଝିଅ ଶାମ୍ଭବୀ ସମସ୍ତିପୁରରୁ ଲୋକ ଜନଶକ୍ତି (ରାମ ବିଳାସ) ସାଂସଦ।