ଗଣବଳାତ୍କାରର ଶିକାର ଆଇନ ଛାତ୍ରୀ: ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା କ’ଣ ଭୁଲ?
ଦୁଷ୍କର୍ମ ପୀଡ଼ିତା ବଖାଣିଲେ ଲୋମଟାଙ୍କୁରା କାହାଣୀ: ଯେତେ କାକୁତି ମିନତି ହେଲେ ବି ସେମାନେ ଛାଡି ନଥିଲେ!
କୋଲକାତା, ୨୭/୦୬: କୋଲକାତାରେ ପୁଣି ଲଜ୍ଜା। କଲିକତା ଆଇନ କଲେଜରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯିବା ଖବର ସାମନାକୁ ଆସିଛି। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଶାସକ ତୃଣମୂଳ କଂଗ୍ରେସର ବର୍ତ୍ତମାନର ଛାତ୍ର ଶାଖାର ଜଣେ ଛାତ୍ର ନେତା। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ପାଞ୍ଚ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ବୁଧବାର ସନ୍ଧ୍ୟା ୭.୩୦ ରୁ ରାତି ୧୦.୫୦ ମଧ୍ୟରେ ଦକ୍ଷିଣ କଲିକତା ଆଇନ କଲେଜ ପରିସରରେ ଉକ୍ତ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିଲା ବୋଲି ଅଭିଯୋଗ ହୋଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ବର୍ଷୀୟ ଉକ୍ତ ଯୁବତୀ ବୁଧବାର ଦିନ ପ୍ରାୟ ୧୨ଟା ବେଳେ ପରୀକ୍ଷା ସମ୍ବନ୍ଧୀୟ ଫର୍ମ ପୂରଣ କରିବା ପାଇଁ କଲେଜରେ ପହଞ୍ଚିଥିଲେ। ସେ ପ୍ରଥମେ କଲେଜ ୟୁନିଅନ୍ ରୁମ୍ ଭିତରେ ବସିଥିଲେ। ପରେ ମୁଖ୍ୟ ଅଭିଯୁକ୍ତ କଲେଜର ମେନ୍ ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କ୍ୟାମ୍ପସ୍ରେ ସିକ୍ୟୁରିଟି ଗାର୍ଡଙ୍କ ରୁମ୍ ଭିତରେ ମହିଳାଙ୍କୁ ଜୋର ଜବରଦସ୍ତ ବଳାତ୍କାର କରିଥିଲେ।
ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର (୩୧) ଜଣେ ପୂର୍ବତନ ଛାତ୍ର ଏବଂ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (TMCP)ର ଦକ୍ଷିଣ କୋଲକାତା ଜିଲ୍ଲାର ବର୍ତ୍ତମାନର ସାଧାରଣ ସମ୍ପାଦକ, ଅନ୍ୟ ଜଣେ ଅଭିଯୁକ୍ତ ହେଉଛନ୍ତି କଲେଜର ପ୍ରଥମ ବର୍ଷର ଛାତ୍ର ୧୯ ବର୍ଷୀୟ ଜାଇବ ଅହମ୍ମଦ ଏବଂ ଅନ୍ୟ ଜଣେ ଛାତ୍ର ୨୦ ବର୍ଷୀୟ ପ୍ରମିତ ମୁଖାର୍ଜୀ।
ଯୁବତୀ ଅଭିଯୋଗ କରିଛନ୍ତି ଯେ ମନୋଜିତ୍ ମିଶ୍ର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କର ଜଣେ ପ୍ରେମିକ ଅଛନ୍ତି ବୋଲି କହିଥିଲେ ଯୁବତୀ। ହେଲେ ମନୋଜିତ ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିବାକୁ ଏବଂ ତାଙ୍କ ପିତାମାତାଙ୍କୁ ଗିରଫ କରିବାକୁ ଧମକ ଦେଇଥିଲେ।
ଯୁବତୀ ସେହି ଘଟଣାକ୍ରମ ବ୍ୟାଖ୍ୟା କରି କହିଛନ୍ତି ଯେ, ମୁଁ ତାଙ୍କ ପାଦ ଛୁଇଁଥିଲି, କିନ୍ତୁ ସେ ମୋତେ ଛାଡି ନଥିଲେ। ସେମାନେ ମୋତେ ବଳପୂର୍ବକ ଗାର୍ଡ ରୁମକୁ ନେଇଗଲେ। ଏହା ପରେ ତାଙ୍କ ଦୁଷ୍କର୍ମ କାଣ୍ଡ ଭିଆଇଥିଲେ ଅଭିଯୁକ୍ତ। କେବଳ ଏତିକିରେ ମନ ବୁଝି ନଥିଲା। ଅଭିଯୁକ୍ତମାନେ ଏହି ଘଟଣାର ଭିଡିଓ ରେକର୍ଡ କରିଥିଲେ ଏବଂ ଯଦି ସେ ସହଯୋଗ ନ କରନ୍ତି ତେବେ ସେହି ଭିଡ଼ିଓକୁ ଲିକ୍ କରିବାକୁ ଧମକ ଦେଇଥିଲେ।
ଏହି ଘଟଣା ବେଳେ ତାଙ୍କୁ ପାନିକ ଆଟାକ ହୋଇଥିଲା ଏବଂ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। କିନ୍ତୁ ସେମାନେ କୌଣସି କଥା ଶୁଣିଲେ ନାହିଁ। ମୁଁ ସେମାନଙ୍କୁ ମୋତେ ହସ୍ପିଟାଲ ନେଇଯିବାକୁ କହିଥିଲି କିନ୍ତୁ ସେମାନେ ଶୁଣିଲେନି। ସେମାନେ କଲେଜର ମୁଖ୍ୟ ଫାଟକକୁ ତାଲା ପକାଇ ଦେଇଥିଲେ। ଗାର୍ଡ ମଧ୍ୟ ଅସହାୟ ଥିଲେ ଏବଂ ସାହାଯ୍ୟ କରି ନଥିଲେ। ଶେଷରେ ତାଙ୍କୁ ସେହି ସନ୍ଧ୍ୟାରେ କଲେଜ ପରିସରରୁ ଯିବାକୁ ଅନୁମତି ଦେଇଥିଲେ। କିନ୍ତୁ ଅଧିକ କ୍ଷତି ପହଞ୍ଚାଇବାର ଧମକ ଦେଇ ତାଙ୍କୁ ଛାଡିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଅଟକାଇବାକୁ ଚେଷ୍ଟା କରିଥିଲେ। ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭିଯୁକ୍ତ ତାଙ୍କୁ ହକି ଷ୍ଟିକ୍ ସାହାଯ୍ୟରେ ଆଘାତ କରିବାରୁ ସେ ଆହତ ହୋଇଥିଲେ।
ମନୋଜିତ ମିଶ୍ର ଏବଂ ଅହମଦଙ୍କୁ ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ କୋଲକାତାର କସବାର ଏକ ସିଗନାଲ କ୍ରସିଂରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପ୍ରମିତଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ସେମାନଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଥିଲା।