ମହାନଗର ନିଗମ ହେବ ପୁରୀ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ଭୁବନେଶ୍ୱର, ୦୪/୦୭: ରାଜ୍ୟରେ ବଢ଼ିଲା ମହାନଗର ନିଗମ ସଂଖ୍ୟା। ପୂର୍ବରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଥିବା ବେଳେ ଯୋଡ଼ି ହୋଇଛି ଆଉ ଏକ ମହାନଗର ନିଗମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି ବଡ଼ ଘୋଷଣା। ମହାନଗର ନିଗମ ତାଲିକାରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ସ୍ଥାନ। ପୁରୀ ସହର ହେବାକୁ ଯାଉଛି ମହାନଗର ନିଗମ।

ପୁରୀରେ ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କର ଆଗମନକୁ ଦୃଷ୍ଟିରେ ରଖି ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ପୁରୀ ପୌରାଞ୍ଚଳକୁ ମହାନଗର ନିଗମରେ ପରିଣତ କରାଯିବ‌।

ପୁରୀ ସହର ଏବଂ ଆଖପାଖ ଗ୍ରାମ ପଞ୍ଚାୟତଗୁଡ଼ିକୁ ନେଇ ପୁରୀ ମ୍ୟୁନିସିପାଲ କର୍ପୋରେସନ ବା ପିଏମସି ଗଠନ କରାଯିବ। ଏଥିରେ ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସାତରୁ ଆଠଟି ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ। ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ପ୍ରମୁଖ ଧାର୍ମିକ ଏବଂ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହା ସହ ପୁରୀ ସହରରେ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋଟିଏ ପରିସରରେ ମ୍ୟୁଜିୟମ, ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ କେନ୍ଦ୍ର ରହିବ। ଏହି ଭିତରେ ୩୦୦ ଆସନ ବିଶିଷ୍ଟ ଅଡିଟୋରିୟମ ପ୍ରତିଷ୍ଠା ହେବ। ଅଡିଟୋରିୟମରେ ପ୍ରତିଦିନ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ ପ୍ରଦର୍ଶିତ ହେବ। ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ହେବ ମୁକ୍ତାକାଶ ରଙ୍ଗମଞ୍ଚରେ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।