ମଣ୍ଡି, ୦୪/୦୭: ଗତ ଦୁଇ ସପ୍ତାହ ଧରି ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଏବଂ ବାଦଲ ଫଟା ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷତି ଘଟିଛି। ଜୁନ୍ ୨୦ ରୁ ଜୁଲାଇ ୩ ମଧ୍ୟରେ ଅତି କମରେ ୬୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି କ୍ଷତି ହୋଇଛି।
ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମଣ୍ଡି ଜିଲ୍ଲାରେ। ଏଠାରେ ଅନେକ ଘର ଭାଙ୍ଗି ପଡ଼ିବା ସହ ବନ୍ୟା ପାଣିରେ ଯାନବାହନ ଭାସି ଯାଇଛି। ରାଜ୍ୟରେ ୨୫୦ ରାସ୍ତା ବନ୍ଦ ହୋଇଯାଇଛି। ୫୦୦ରୁ ଅଧିକ ବିଦ୍ୟୁତ ଟ୍ରାନ୍ସଫର୍ମର ଅକାମୀ ହୋଇଯାଇଥିବା ବେଳେ ୭୦୦ରୁ ଅଧିକ ପାନୀୟ ଜଳ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି, ଯାହା ଦ୍ୱାରା ମୌଳିକ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ସଠିକ୍ କ୍ଷୟକ୍ଷତି ଆକଳନ କରାଯାଇନଥିବା ବେଳେ ଆଗକୁ କ୍ଷୟକ୍ଷତି ଆହୁରି ଅଧିକ ହେବା ସମ୍ଭାବନା ରହିଛି।
ସ୍ଥାନୀୟ ପୋଲିସ, ବିପର୍ଯ୍ୟୟ ବାହିନୀ, ସେନା, ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି।
ଜୁଲାଇ ୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଇଏମଡି ପକ୍ଷରୁ ସତର୍କ କରାଯାଇଛି। ଭୂସ୍ଖଳନ ହେବାର ମଧ୍ୟ ଆଶଙ୍କା ଅଛି।