ଭୁବନେଶ୍ୱର, ୦୪/୦୭: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହି କ୍ରମରେ ଆଜି ୨ ଜଣ ଯୁବ କ୍ରୀଡାବିତ କରାଟେରେ ଶ୍ରୀ ରିତେଶ ରାୟ ସ୍ୱର୍ଣ୍ଣ ପଦକ ଏବଂ ଶ୍ରୀ ଅଭିଷେକ ପଟ୍ଟନାୟକ ବ୍ରୋଞ୍ଚ ପଦକ ବିଜୟୀ ହୋଇ ଓଡିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି। ଓଡିଶା ପୋଲିସର କ୍ରୀଡ଼ାବିତମାନେ ଗତ ତିନି ଦିନ ମଧ୍ୟରେ ୬ ଟି ସ୍ଵର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ପଦକ ଓ ଗୋଟିଏ ବ୍ରୋଞ୍ଚ ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଲାଭ କରିଛନ୍ତି।କନଷ୍ଟେବଳ ଶ୍ରୀ ରିତେଶ ରାୟ କରାଟେ (୮୪ କେଜି) ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ କନଷ୍ଟେବଳ ଶ୍ରୀ ଅଭିଷେକ ପଟ୍ଟନାୟକ କରାଟେ (ପୁରୁଷ) ବର୍ଗରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଉଭୟଙ୍କ ଏହି ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଉଭୟ ରିତେଶ ଓ ଅଭିଷେକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶା ପୋଲିସର ସୁନାମ ବଢ଼ାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ପୋଲିସ, ଅଗ୍ନିଶମ ଏବଂ ବିଶ୍ୱର ଅନ୍ୟାନ୍ୟ ସାର୍ବଜନୀନ ସୁରକ୍ଷା ସଂସ୍ଥାର ହଜାର ହଜାର ଖେଳାଳି ଅଂଶଗ୍ରହଣ କରିଥାନ୍ତି।