ଏଲନ ମସ୍କ ଗଢିଲେ ନୂଆ ରାଜନୈତିକ ଦଳ

‘ଆମେରିକା ପାର୍ଟି’ ଫେରାଇ ଆଣିବ ସ୍ୱାଧୀନତା: ମସ୍କ

ୱାଶିଂଟନ, ୦୬/୦୭: ଆମେରିକା ରାଜନୀତିରେ ହଇଚଇ। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ ଗଠନ କଲେ ନୂଆ ରାଜନୈତିକ ଦଳ। ‘ଆମେରିକା ପାର୍ଟି’ ନାଁରେ ଏକ ନୂଆ ଦଳ ଗଠନ କରିଛନ୍ତି ବୋଲି ଏକ୍ସରେ ସୂଚନା ଦେଇଛନ୍ତି। ଏହି ନୂଆ ଦଳ ସ୍ୱାଧୀନତା ଫେରାଇ ଦେବ। ସ୍ୱାଧୀନ ଭାବେ ବଞ୍ଚିବାକୁ ଦେବ ବୋଲି ସେ କହିଛନ୍ତି। ଏହା ସହ ଟ୍ରମ୍ପଙ୍କ ସରକାରକୁ ସମାଲୋଚନା କରି ଆମେ ଗଣତନ୍ତ୍ରରେ ନୁହେଁ, ବରଂ ଦଳୀୟ ବ୍ୟବସ୍ଥାରେ ବର୍ତ୍ତମାନ ରହୁଛୁ ବୋଲି କହିଛନ୍ତି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଟିକସ ହ୍ରାସ ଏବଂ ଖର୍ଚ୍ଚ ପ୍ୟାକେଜକୁ ନେଇ ଏକ ବିଲ୍ ‘ୱାନ ବିଗ୍ ବିୟୁଟିଫୁଲ ବିଲ’ କୁ ଅନୁମୋଦନ କରିବାର ଗୋଟିଏ ଦିନ ପରେ ଏହି ନୂଆ ଦଳ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଜୁଲାଇ ୪ ତାରିଖରେ ଏକ୍ସରେ ମତାମତ ଲୋଡିଥିଲେ। ଆମେରିକା ପାର୍ଟି ଗଠନ ନେଇ ୬୫.୪ ପ୍ରତିଶତ ଲୋକ ସମର୍ଥନ କରିଥିବା ବେଳେ ୩୪.୬ ପ୍ରତିଶତ ଲୋକ ନା କହିଥିଲେ।

ସୂଚନାଯୋଗ୍ୟ, ୨୦୨୪ ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବ୍ୟାପକ ପ୍ରଚାର କରିଥିଲେ ଏଲନ ମସ୍କ। ସୋହିଆଲ ମିଡିଆରେ ଟ୍ରମ୍ପଙ୍କୁ ଭୋଟ ଦେବା ପାଇଁ କପିଲ୍ କରିଥିଲେ। ଏହା ପରେ ଟ୍ରମ୍ପଙ୍କ ପ୍ରଶାସନରେ ତାଙ୍କୁ DOGEର ମୁଖ୍ୟ ଭାବେ ଦାୟିତ୍ୱ ମିଳିଥିଲା। କିନ୍ତୁ ଟ୍ରମ୍ପ ଆଣିଥିବା ୱାନ ବିଗ୍ ବିୟୁଟିଫୁଲ ବିଲକୁ ନେଇ ସେ ଅସନ୍ତୁଷ୍ଟ ଥିବାରୁ ଏହି ପଦରୁ ଇସ୍ତଫା ଦେବା ସହ ଟ୍ରମ୍ପଙ୍କ ଦଳରୁ ମଧ୍ୟ ଇସ୍ତଫା ଦେଇଥିଲେ। ଯାହା ପରେ ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ଥିବା ତିକ୍ତତା ଲୋକଲୋଚନକୁ ଆସିଥିଲା।