ପ୍ରକୃତିର ତାଣ୍ଡବଲୀଳା: ଅସ୍ତବ୍ୟସ୍ତ ଜନଜୀବନ

ଜଳ ପ୍ରଳୟରେ ଗଲାଣି ୫୧ ଜୀବନ, ଶତାଧିକ ନିଖୋଜ

ଟେକ୍ସାସ, ୦୬/୦୭: ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ ଟେକ୍ସାସରେ ଅପ୍ରତ୍ୟାଶିତ ବର୍ଷା ଯୋଗୁଁ ହଠାତ୍ ବନ୍ୟା ସୃଷ୍ଟି ହୋଇଛି। ଏଥିରେ ୧୫ ଜଣ ଶିଶୁଙ୍କ ସମେତ ଅତି କମରେ ୫୧ ଜଣଙ୍କର ମୃତ୍ୟୁ ହେଲାଣି। ସାନ ଆଣ୍ଟୋନିଓରୁ ପ୍ରାୟ ୮୫ ମାଇଲ ଉତ୍ତର-ପଶ୍ଚିମରେ ଗୁଆଡାଲୁପ୍ ନଦୀରେ ଆକସ୍ମିକ ବନ୍ୟା ହେବା ଫଳରେ ଏଭଳି ଅଘଟଣ ଘଟିଛି। ଜରୁରୀକାଳୀନ ସେବା ଏପର୍ଯ୍ୟନ୍ତ ୮୫୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି। ନିଖୋଜଙ୍କ ମଧ୍ୟରେ କେରଭିଲର ସମର କ୍ୟାମ୍ପର ୨୭ ଜଣ ପର୍ଯ୍ୟଟକ ଅଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ଶତାଧିକ ଲୋକଙ୍କର ପତ୍ତା ମିଳୁନି।

ଶୁକ୍ରବାର ସକାଳେ ପ୍ରବଳ ବର୍ଷା ହୋଇଥିଲା। ଏହା ପରେ ଅଚାନକ ବନ୍ୟା ହୋଇଥିଲା। କେର କାଉଣ୍ଟିରେ ଆଖପାଖ ଅଞ୍ଚଳ ପାଇଁ ବନ୍ୟା ସତର୍କତା ଜାରି ରହିଛି।

ତେବେ ଯାହା ସୂଚନା ମିଳିଛି ଯେ, ବର୍ଷାର ତୀବ୍ରତା ପୂର୍ବାନୁମାନ କରାଯାଇ ନଥିବାରୁ ଏଭଳି ଆକସ୍ମିକ ବନ୍ୟାରେ ପ୍ରଭାବିତ ହେଲେ ଲୋକେ। ଏହି ବିପର୍ଯ୍ୟୟକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ବହୁତ ଭୟାନକ ବୋଲି ଟ୍ରମ୍ପ କହିଛନ୍ତି।