ଆସନ୍ତାକାଲି ଭାରତ ବନ୍ଦ

୨୫ କୋଟି କର୍ମଚାରୀ କରିବେ ହରତାଳ

ଜାଣନ୍ତୁ କ’ଣ ଖୋଲା ଓ ବନ୍ଦ ରହିବ

ନୂଆଦିଲ୍ଲୀ, ୦୮/୦୭: ଆସନ୍ତାକାଲି ଭାରତ ବନ୍ଦ। ବ୍ୟାଙ୍କିଙ୍ଗ ଏବଂ ବୀମା, ଡାକ ସେବା, କୋଇଲା ଖଣି, ରାଜପଥ ନିର୍ମାଣ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନିୟୋଜିତ ୨୫ କୋଟିରୁ ଅଧିକ ଶ୍ରମିକ ବୁଧବାର (୯ ଜୁଲାଇ) ଦିନ ଦେଶବ୍ୟାପୀ ସାଧାରଣ ଧର୍ମଘଟରେ ସାମିଲ ହେବେ। ଏଣୁ ସାର୍ବଜନୀନ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।

୧୦ ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ ସେମାନଙ୍କର ସହଯୋଗୀମାନଙ୍କର ଏକ ମିଳିତ ମଞ୍ଚ ସରକାରଙ୍କ ଶ୍ରମିକ ବିରୋଧୀ, କୃଷକ ବିରୋଧୀ, ଦେଶ ବିରୋଧୀ କର୍ପୋରେଟ୍ ପକ୍ଷପାତୀ ନୀତିକୁ ବିରୋଧ କରିବା ପାଇଁ ଏକ ସାଧାରଣ ଧର୍ମଘଟ ବା ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି। ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍ କଂଗ୍ରେସର ଅମରଜିତ କୌର କହିଛନ୍ତି ଯେ “ଦେଶବ୍ୟାପୀ ଚାଷୀ ଏବଂ ଗ୍ରାମୀଣ ଶ୍ରମିକମାନେ ଏହି ପ୍ରତିବାଦରେ ଯୋଗଦେବେ।”

 

ଶ୍ରମିକଙ୍କ ପ୍ରତିବାଦର କାରଣ:-

ସାମୂହିକ ଆଲୋଚନା ଓ ଧର୍ମଘଟ ଭଳି ଅଧିକାର ଗୁଡିକୁ ହ୍ରାସ କରୁଥିବା ୪ଟି ନୂତନ ଶ୍ରମ କୋଡ୍ ର ପ୍ରଚାର। ବୃଦ୍ଧି ପାଉଥିବା ବେକାରୀ ଓ ମୁଦ୍ରାସ୍ଫୀତି। ସ୍ୱାସ୍ଥ୍ୟା ଶିକ୍ଷା ଓ ନାଗରିକ ସୁବିଧାରେ କାଟ୍। ଯୁବକମାନଙ୍କ ପାଇଁ ଚାକିରି ପ୍ରଦାନ କରିବା ବଦଳରେ ଅବସରପ୍ରାପ୍ତ ଲୋକଙ୍କୁ ନିଯୁକ୍ତି ଦେବା। ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି। ୧୦ ବର୍ଷ ମଧ୍ୟରେ କୌଣସି ଶ୍ରମ ସମ୍ମିଳନୀ ନ ହେବା। ପ୍ରବାସୀ ଶ୍ରମିକମାନଙ୍କୁ ଅଧିକାରହୀନ କରିବାର ପ୍ରୟାସ। ଜନସୁରକ୍ଷା ବିଲ୍ ବ୍ୟବହାର କରି ପ୍ରତିବାଦ ଉପରେ କାର୍ଯ୍ୟାନୁଷ୍ଠାନ।

 

ଶ୍ରମିକଙ୍କ ଦାବି:-

୪ଟି ଶ୍ରମ କୋଡ଼ ବନ୍ଦ କରାଯାଉ। ମନରେଗାରେ ମଜୁରୀ ବୃଦ୍ଧି ସହ ଏହାର ସହରାଞ୍ଚଳରେ ବିସ୍ତାର କରାଯାଉ। ଖାଲି ପଡ଼ିଥିବା ସରକାରୀ ପଦବୀରେ ନୂଆ ନିଯୁକ୍ତି ଦିଆଯାଉ। ଯୁବବର୍ଗଙ୍କ ଲାଗି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ। ସାର୍ବଜନୀନ ସ୍ୱାସ୍ଥ୍ୟ, ଶିକ୍ଷା ଓ ନାଗରିକ ସେବାକୁ ମଜବୁତ କରାଯାଉ। ଶ୍ରମିକମାନଙ୍କୁ ୟୁନିୟନର ଗଠନ ଓ ଧର୍ମଘଟ କରିବାର ଅଧିକାର ଦିଆଯାଉ

 

ଭାରତ ବନ୍ଦ ଯୋଗୁଁ କ’ଣ ବାଧାପ୍ରାପ୍ତ ହେବ:-

୧. ବ୍ୟାଙ୍କ ସେବା

୨. ଡାକ ସେବା

୩. କୋଇଲା ଖଣି ଏବଂ କାରଖାନା

୪. ରାଜ୍ୟ ପରିବହନ ସେବା

୫. ସରକାରୀ କ୍ଷେତ୍ର ୟୁନିଟ୍ ଏବଂ ସରକାରୀ ବିଭାଗ

 

ଭାରତ ବନ୍ଦରେ କ’ଣ ଖୋଲା ରହିବ:-

୧. ସ୍କୁଲ ଏବଂ କଲେଜ

୨. ବେସରକାରୀ କାର୍ଯ୍ୟାଳୟ

 

ବର୍ତ୍ତମାନ ପର୍ଯ୍ୟନ୍ତ, ଦେଶବ୍ୟାପୀ ରେଳ ଧର୍ମଘଟ ବିଷୟରେ କୌଣସି ସରକାରୀ ଘୋଷଣା ହୋଇନାହିଁ, କିନ୍ତୁ ପ୍ରତିବାଦ ଯୋଗୁଁ ଟ୍ରେନ୍ ସେବାରେ ବିଳମ୍ବ କିମ୍ବା ବାଧା ସୃଷ୍ଟି ହୋଇପାରେ।