କମେଡ଼ି କିଙ୍ଗ୍ କପିଲ୍ ଶର୍ମାଙ୍କୁ ଧମକ ଦେଲା ପନ୍ନୁ

କହିଲା କାନାଡ଼ା ତୁମ ଖେଳ ପଡ଼ିଆ ନୁହଁ

ନୂଆଦିଲ୍ଲୀ, ୧୨/୦୭: ଖଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଶିଖ୍ସ ଫର୍ ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ତଥା ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ବଲିଉଡ୍ ଅଭିନେତା ତଥା କମେଡିଆନ କପିଲ ଶର୍ମାଙ୍କୁ ଦେଇଛି ଧମକ।

ଧମକ ଦେଇ ପନ୍ନୁ କହିଛି ଯେ “କାନାଡା କପିଲ ଶର୍ମାଙ୍କ ଖେଳ ପଡ଼ିଆ ନୁହେଁ। କପିଲ ଶର୍ମା ତାଙ୍କ ବ୍ୟବସାୟ ମାଧ୍ୟମରେ କାନାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହିନ୍ଦୁତ୍ୱ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛନ୍ତି। କପିଲ ଭଳି ଲୋକମାନେ ‘ମୋଦୀ ବ୍ରାଣ୍ଡ ହିନ୍ଦୁତ୍ୱ’କୁ ସମର୍ଥନ କରନ୍ତି ଏବଂ ଏପରି ଲୋକଙ୍କୁ “ସେମାନଙ୍କର ରକ୍ତ ପଇସା ଭାରତକୁ ଫେରାଇ ନେବା ଉଚିତ। କୌଣସି ରାଜନୈତିକ ବିଚାରଧାରାକୁ ପ୍ରୋତ୍ସାହିତ କରୁଥିବା ବ୍ୟବସାୟଗୁଡ଼ିକୁ କାନାଡାରେ ବିକଶିତ ହେବାକୁ ଦିଆଯିବ ନାହିଁ ବୋଲି ପନ୍ନୁ ଧମକ ଦେଇଛି। ଏକ ଭିଡିଓ ବାର୍ତ୍ତାରେ ଏହି ଧମକ ଦେଇଛି ପନ୍ନୁ।

ସୂଚନାଯୋଗ୍ୟ, ବୁଧବାର ରାତିରେ ବ୍ରିଟିଶ କଲମ୍ବିଆର ସୁରେରେ କପିଲ ଶର୍ମାଙ୍କ ରେଷ୍ଟୁରାଣ୍ଟ, କାପ୍ସ କାଫେକୁ ଆକ୍ରମଣ କରିଥିଲେ କିଛି ଅଜଣା ଆତତାୟୀ। ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ହରଜିତ ସିଂହ ଲଦି ଏବଂ ଟୁଫାନ ସିଂହ – ଉଭୟ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ୍ (BKI) ସହିତ ଜଡିତ। ଏହି ଆକ୍ରମଣ ପରେ ପୁଣି ଧମକ ଦେଇଛି ପନ୍ନୁ। ତେବେ ଏହି ଘଟଣାକୁ ନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି କପିଲ୍ ଶର୍ମା।