ଏଣେତେଣେ ମୋବାଇଲ ଫୋନ୍ ଚାର୍ଜ କରନ୍ତୁନି , ନହେଲେ ଚୋରି ହୋଇଯିବ ସବୁ ଡାଟା

ଏଣେ ତେଣେ ମୋବାଇଲ ଫୋନ୍ ଚାର୍ଜ ନକରିବାକୁ ପରାମର୍ଶ। ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚାର୍ଜ ନକରିବାକୁ କହିଛି ପୋଲିସ। ଏ ନେଇ ଓଡ଼ିଶା ପୋଲିସ ପକ୍ଷରୁ ସତର୍କତା ଜାରି ହୋଇଛି। ସାଇବର ଠକଙ୍କ କବଳରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଇଛି ପୋଲିସ। ସର୍ବସାଧାରଣ ସ୍ଥାନରେ ଥିବା ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ ନ କରିବାକୁ ପୋଲିସ ପରାମର୍ଶ ଦେଇଛି।

ଏମିତି ଚାର୍ଜ କରିବା ଦ୍ୱାରା ସାଇବର ଠକ ମୋବାଇଲରୁ ବ୍ୟକ୍ତିଗତ ଡାଟା ନେଇପାରନ୍ତି। ମୋବାଇଲରେ ନିଷିଦ୍ଧ ଆପ୍ ଇନଷ୍ଟଲ କରି ସବୁ ଡାଟା ନେଇଯାଇପାରନ୍ତି ବୋଲି କହିଛି ଓଡ଼ିଶା ପୋଲିସ।

ଏନେଇ ସାଇବର ଏକ୍ସପର୍ଟ ଅଭିଜିତ ମହାନ୍ତ କହିଛନ୍ତି ଯେ ଯେତେବେଳେ କେହି ଚାର୍ଜିଂ ଷ୍ଟେସନ୍‌ରେ ଚାର୍ଜ କରୁଛନ୍ତି, ସେତେବେଳେ ପଏଣ୍ଟ ପଛରେ କଣ ଲାଗିଛି, ତାହା ସେମାନଙ୍କୁ ଅଜଣା ଥାଏ। ସେଥିପାଇଁ ଅଜଣା ଜାଗାରେ ମୋବାଇଲ ଲଗାନ୍ତୁନି। ଯଦି ସମ୍ପୃକ୍ତ ସ୍ଥାନମାନଙ୍କରେ ସର୍ଭେଲାନ୍ସ ରହୁଛି, (ଯେପରିକି ଏୟାରପୋର୍ଟ) ତେବେ ମୋବାଇଲ ଚାର୍ଜ କଲେ କୌଣସି ଅସୁବିଧା ନାହିଁ।