ଭକ୍ତଙ୍କ ଭାବାବେଗକୁ କୁଠାରାଘାତ: ମହାପ୍ରଭୁଙ୍କ ରଥଯାତ୍ରା ବେଳେ ଅଣ୍ଡାମାଡ

କ୍ଷୋଭ ପ୍ରକାଶ କଲେ ନବୀନ

ନୂଆଦିଲ୍ଲୀ, ୧୪/୦୭: ବିଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବେଳେ ଘଟିଛି ବଡ଼ ଅଘଟଣ। ଭକ୍ତଙ୍କ ଭାବାବେଗକୁ କୁଠାରାଘାତ। କାନାଡ଼ାର ଟରଣ୍ଟୋରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବେଳେ ଅଜଣା ବ୍ୟକ୍ତିମାନେ ଭକ୍ତଙ୍କ ଉପରକୁ ଅଣ୍ଡା ଫିଙ୍ଗିବା ଭିଡ଼ିଓ ସାମନାକୁ ଆସିଛି। ଯାହା ପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଟୋରଣ୍ଟୋର ରାସ୍ତାରେ ଭକ୍ତମାନେ ଭଜନ କିର୍ତ୍ତନ କରି ରଥଯାତ୍ରାରେ ଯାଉଥିବା ବେଳେ ନିକଟରେ ଥିବା ଏକ କୋଠାରୁ କେହି ଜଣେ ଭକ୍ତଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିଲେ।

ଏ ନେଇ ଜଣେ ଭକ୍ତ ସୋସିଆଲ ମିଡିଆରେ ଏ ସମ୍ପର୍କିତ ଏକ ଭିଡ଼ିଓ ଇନଷ୍ଟାଗ୍ରାମରେ ଅପଲୋଡ଼ କରି ଅସନ୍ତୋଷ ଝାଡିଛନ୍ତି।

କେହି ଜଣେ ଆମକୁ ଅଣ୍ଡା ଫିଙ୍ଗିଲା। ତାହା ଦେଖି ଆମେ ସ୍ତବ୍ଧ ହୋଇଗଲୁ। ଆଘାତ ପାଇଲୁ। କିନ୍ତୁ ଆମେ ଅଟକିଲୁ ନାହିଁ। କାରଣ ଘୃଣା କେବେ ବିଶ୍ୱାସକୁ ହରାଇପାରେ ନାହିଁ ବୋଲି କହିଛନ୍ତି।

ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଘଟଣାର ଫଟୋ X ରେ ସେୟାର କରିଛନ୍ତି ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ଦୃଢ଼ ଜବାବ ଜଣାଇବାକୁ ଅନୁରୋଧ କରିଛନ୍ତି।

ନବୀନ କହିଛନ୍ତି, “କାନାଡାର ଟୋରଣ୍ଟୋରେ ରଥଯାତ୍ରା ଉତ୍ସବ ସମୟରେ ଭକ୍ତଙ୍କ ଉପରେ ଅଣ୍ଡା ଫିଙ୍ଗାଯିବାର ଘଟଣା ଜାଣିବା ପରେ ମୁଁ ଗଭୀର ମର୍ମାହତ। ଏପରି ଘଟଣା କେବଳ ବିଶ୍ୱବ୍ୟାପୀ ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ଭାବନାକୁ ଗୁରୁତର ଆଘାତ ଦେଇନାହିଁ, ବରଂ ଏହି ରଥଯାତ୍ରା ସହ ସହ ଜଡ଼ିତ ଥିବା ପ୍ରତ୍ୟେକ ଓଡିଆଙ୍କୁ କଷ୍ଟ ଦେଇଛି।”