କାଲି ୮ ଘଣ୍ଟିଆ ବାଲେଶ୍ଵର ବନ୍ଦ

ବନ୍ଦ ଡ଼ାକରା ଦେଲା ବିଜେଡ଼ି

ବାଲେଶ୍ବର, ୧୫/୦୭: ବାଲେଶ୍ୱରର ଫକୀର ମୋହନ ସ୍ୱୟଂଚାଳିତ କଲେଜର ୨୦ ବର୍ଷୀୟା ବି.ଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ନ୍ୟାୟ ଦାବିରେ ବୁଧବାର ୮ ଘଣ୍ଟା ବାଲେଶ୍ୱର ବନ୍ଦ ଡାକରା ଦେଇଛି ବିଜୁ ଜନତା ଦଳ।

୮ ଘଣ୍ଟା ବାଲେଶ୍ଵର ବନ୍ଦ ଯୋଗୁଁ ସାଧାରଣ ଜନ ଜୀବନରେ ବାଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ହସ୍ପିଟାଲ ଏବଂ ଜରୁରୀକାଳୀନ ସେବା ଭଳି ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ କାର୍ଯ୍ୟ କରିବ। ହେଲେ ଦୋକାନ, ବଜାର, ସାଧାରଣ ପରିବହନ, ସ୍କୁଲ ଏବଂ କଲେଜ ବନ୍ଦ ରହିବ।

ବାଲେଶ୍ୱରର ଲୋକମାନଙ୍କୁ ବନ୍ଦରେ ଅଂଶଗ୍ରହଣ କରିବାକୁ ଏବଂ ଛାତ୍ରୀଙ୍କ ପରିବାର ସହିତ ଏକତା ପ୍ରଦର୍ଶନ କରିବାକୁ ନିବେଦନ କରିଛି ବିଜେଡ଼ି।

ସୂଚନାଯୋଗ୍ୟ, ବି.ଏଡ ଏଚ୍ଓଡି ସମୀର କୁମାର ସାହୁଙ୍କ ବିରୋଧରେ ଅଭିଯୋଗ ଆଣିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସୌମ୍ୟାଶ୍ରୀ ଜୁଲାଇ ୧୨ ତାରିଖରେ କଲେଜ ପରିସରରେ ନିଜକୁ ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ୯୦ରୁ ୯୫ ପ୍ରତିଶତ ଅଂଶ ପୋଡି ଯାଇଥିଲା। ସୋମବାର ବିଳମ୍ବିତ ରାତିରେ ଏମ୍ସ ଭୁବନେଶ୍ୱରରେ ତାଙ୍କର ମୃତ୍ୟୁ ହୋଇଥିଲା।