‘ଇଣ୍ଡିଆନ୍‌ ଆଇଡଲ’ରେ ବାଲେଶ୍ୱରର ପ୍ରଭୁପାଦ ମହାନ୍ତି

ମୁମ୍ବାଇ ୧୫।୦୯ : ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ’ର ୧୩ତମ ସିଜିନ୍‌ ଆରମ୍ଭ ହୋଇଛି । ଏଥିରେ ନଜର ଆସିବେ ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି । ଏନେଇ ସୋନି ଟିଭି ପକ୍ଷରୁ ପ୍ରମୋ ଚାଲିବା ପରେ ବାଲେଶ୍ୱରବାସୀଙ୍କ ଭିତରେ ଆନନ୍ଦ ଖେଳିଯାଇଛି ।

ତେବେ ଜଣେ ଯୁବ କଣ୍ଠଶିଳ୍ପୀ ଭାବେ ପ୍ରଭୁପାଦ ବାଲେଶ୍ୱର ସମେତ ତମାମ ରାଜ୍ୟରେ ବେଶ୍‌ ଜଣାଶୁଣା । ପୂର୍ବରୁ ସର୍ବଭାରତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଥିଲେ । ୨୦୧୪ରେ ଜୁନିୟର ‘ସାରେ-ଗାମା-ପା’ରେ ଅଂଶ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ । ତେବେ ଚଳିତ ବର୍ଷ ସେ ‘ଇଣ୍ଡିଆନ ଆଇଡଲ୍‌’ରେ ଅଂଶଗ୍ରହଣ କରିଛନ୍ତି । କୋଲକାତାରେ ହୋଇଥିବା ଅଡିସନ୍‌ରେ ସେ ଅଂଶଗ୍ରହଣ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ । ପରେ ମୁମ୍ବାଇ ପ୍ରାଇମ୍‌ ଫୋକସ ଫିଲ୍ମ ସିଟିରୁ ତାଙ୍କୁ ଡାକରା ଆସିଥିଲା । ସେ ସେଠାକୁ ଯାଇ ସଂଗୀତ ପରିବେଷଣ କରିଥିଲେ ।