ମାଡି ଆସୁଛି ପ୍ରଳୟଙ୍କାରୀ ମହାବାତ୍ୟା, ୨୭୦ କିମି ବେଗରେ ବହିବ ପବନ

ନୂଆଦିଲ୍ଲୀ: ସମୁଦ୍ରରେ ଅଧିକ ଘନୀଭୂତ ହୋଇ ବଳ ଗୋଟାଇ ସ୍ଥଳଭାଗକୁ ମାଡି ଆସୁଛି ଶକ୍ତିଶାଳୀ ଘୂର୍ଣ୍ଣି ଝଡ। ଏହା ମହାବାତ୍ୟାର ରୂପ ନେଇ ରବିବାର ଜାପାନରେ ସ୍ଥଳଭାଗ ଛୁଇଁବ। ଏହାରି ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ତୀବ୍ର ଗତିରେ ପବନ ବହିବହାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ସର୍ବାଧିକ ୨୭୦  କିଲୋମିଟର ବେଗରେ ପବନ ବହିପାରେ। ଏପରିକି ୨୦ ଇଞ୍ଚର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜାପାନ ପାଣିପାଗ ବିଭାଗ  ଶନିବାର ଲୋକଙ୍କୁ ଦକ୍ଷିଣ  ଦ୍ଵୀପ କ୍ୟୁସୁ ଅଞ୍ଚଳ ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ଅପିଲ୍ କରିଛନ୍ତି।

ଆମେରିକା ନୌସେନାର Joint Typhoon Warning Center   ମହାବାତ୍ୟାର ନାମ ନାନମାଡୋଲ ଦେଇଛନ୍ତି। ଚଳିତ ଦଶନ୍ଧିର ଏହା ସବୁଠୁ ବଡ ବାତ୍ୟା ବୋଲି କେନ୍ଦ୍ର କହିଛି। ଏହାରି ପ୍ରଭାବରେ ତୀବ୍ର ଗତିରେ ପବନ ବହିବା ସହ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଶନିବାର ଦକ୍ଷିଣ କ୍ୟୁସୁ ଦ୍ଵୀପ ଏବଂ କାଗୋସୀମା ଅଞ୍ଚଳ  ସ୍ଵତନ୍ତ୍ର ସତର୍କ ସୂଚନା ଜାରି କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପ୍ରଥମ ଥର କ୍ୟୁସୁବାସୀ ଏହି ଧରଣ ମହାବାତ୍ୟାର ସମ୍ମୁଖୀନ ହେଉଛନ୍ତି। ମହାବାତ୍ୟା ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇପାରେ।