ହ୍ୟାଣ୍ଡସେକ୍ ବିବାଦ: ରେଫରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ପିସିବି
ମ୍ୟାଚ ବର୍ଜନ କରିବାକୁ ଦେଲା ଚେତାବନୀ
ନୂଆଦିଲ୍ଲୀ, ୧୫/୯: ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ପ୍ରଥମ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଦୁବାଇରେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଶୋଚନୀୟ ପରାଜୟ ହୋଇଛି।
ଏହି ମ୍ୟାଚ ଆରମ୍ଭରୁ ଓ ଶେଷରେ ଭାରତ ପାକିସ୍ତାନ ଟିମ୍ ସହିତ ହାତ ମିଳାଇନଥିଲା। ଯାହାକୁ ନେଇ ପାକିସ୍ତାନ କ୍ଷୁବ୍ଧ ହୋଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ରେ ହାତ ମିଳାଇବା ପ୍ରସଙ୍ଗକୁ ନେଇ ବିବାଦ ବଢ଼ିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏଥିରେ କ୍ରୋଧିତ ହୋଇ ମ୍ୟାଚ୍ର ରେଫରିଙ୍କ ବିରୋଧରେ ସିଧାସଳଖ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ ଅଭିଯୋଗ କରିଛି ଏବଂ ତାଙ୍କୁ ହଟାଇବା ପାଇଁ ଦାବି କରିଛି। ରିପୋର୍ଟ ଅନୁସାରେ, ପିସିବିର ଅଭିଯୋଗ ମ୍ୟାଚ୍ ପରେ ‘ହ୍ୟାଣ୍ଡସେକ୍ ବିବାଦ’ ବିଷୟରେ ନୁହେଁ, ବରଂ ଟସ୍ ସମୟରେ ମ୍ୟାଚ୍ ରେଫରିଙ୍କ ଏକ କାର୍ଯ୍ୟ ବିଷୟରେ, ଯାହା ଯୋଗୁଁ ଏହା ଆଇସିସିକୁ ଏତେ ବଡ଼ ପଦକ୍ଷେପ ନେବାକୁ କହିଛି।
୧୪ ସେପ୍ଟେମ୍ବରରେ ଦୁବାଇରେ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ପୂର୍ବରୁ ବିବାଦରେ ଥିଲା, କାରଣ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଏବଂ ତା’ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୪ ଦିନିଆ ଯୁଦ୍ଧ ପରେ ଏହା ପ୍ରଥମ ମ୍ୟାଚ୍ ଥିଲା। କିନ୍ତୁ ଏହି ମ୍ୟାଚ୍ ବିରୁଦ୍ଧରେ ଭାରତରେ ବହୁତ ବୟକଟ ଦାବି ହେଉଥିଲା। ତା’ସତ୍ତ୍ୱେ, ମ୍ୟାଚ୍ ହୋଇଥିଲା ଏବଂ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଥିଲା। କିନ୍ତୁ ମ୍ୟାଚ୍ ଶେଷ ହେବା ପରେ, ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ମିଳାଇ ନଥିଲେ।
ମ୍ୟାଚ୍ ପରେ ସୋମବାର, ସେପ୍ଟେମ୍ବର ୧୫ ତାରିଖରେ, ପାକିସ୍ତାନୀ ବୋର୍ଡ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ବିରୋଧରେ ଆଇସିସିରେ ଅଭିଯୋଗ କରିଛି। ଏ ନେଇ ପିସିବି ମୁଖ୍ୟ ମୋହସିନ ନକଭି ଏକ ସୋସିଆଲ ମିଡିଆ ପୋଷ୍ଟରେ ସମସ୍ତ ସୂଚନା ଦେଇଛନ୍ତି। ପିସିବି କହିଛି ଯେ ରେଫରି ପାଇକ୍ରଫ୍ଟ ଆଇସିସିର ଆଚରଣ ସଂହିତା ଅନୁଯାୟୀ ଖେଳର ଭାବନାକୁ ଉଲ୍ଲଂଘନ କରିଛନ୍ତି ଏବଂ ତେଣୁ ତାଙ୍କୁ ଏସିଆ କପର ଦାୟିତ୍ୱରୁ ହଟାଇ ଦିଆଯିବା ଉଚିତ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ବୋର୍ଡ ମ୍ୟାଚ୍ ପରେ ପ୍ରଥମେ ଭାରତୀୟ ଦଳ ବିରୁଦ୍ଧରେ ମ୍ୟାଚ୍ ରେଫରିଙ୍କ ନିକଟରେ ଅଭିଯୋଗ କରିଥିଲା। ପାଇକ୍ରଫ୍ଟ ସେମାନଙ୍କ ଅଭିଯୋଗ ଉପରେ ଭାରତୀୟ ଦଳ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ପିସିବି ଅଭିଯୋଗ କରିଛି ଯେ ଟସ୍ ସମୟରେ ମ୍ୟାଚ୍ ରେଫରି ଉଭୟ ଅଧିନାୟକଙ୍କୁ ହାତ ନ ମିଳାଇବାକୁ କହିଥିଲେ। ରେଫରିଙ୍କ ଏପରି ନିର୍ଦ୍ଦେଶ ଦେବାର ଅଧିକାର ନାହିଁ ବୋଲି ପିସିବି କହିଛି।
କେବଳ ଏତିକି ନୁହେଁ, ପିସିବି ରେଫରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପିସିସି କହିଛି, ଯଦି ଆଇସିସି କାର୍ଯ୍ୟାନୁଷ୍ଠାନ ନ ନିଏ, ତେବେ ଯେଉଁ ମ୍ୟାଚରେ ପାଇକ୍ରଫ୍ଟ ରେଫରି ରହିବେ, ପାକିସ୍ତାନୀ ଟିମ୍ ସେହି ମ୍ୟାଚ୍ ବର୍ଜନ କରିବ।