ଲେହ, ୨୭/୯: ଲଦାଖର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଏସଡି ସିଂହ ଜାମୱାଲ କହିଛନ୍ତି ଯେ କେନ୍ଦ୍ର ଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଦାବି କରି ଅନଶନର କରୁଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ପାକିସ୍ତାନ ସହିତ ସମ୍ପର୍କ ଅଛି ଏବଂ ସେ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ଗସ୍ତ କରିଥିଲେ।
ଶୁକ୍ରବାର ଦିନ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅନୁଯାୟୀ କର୍ମୀଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ରାଜସ୍ଥାନର ଯୋଧପୁର କେନ୍ଦ୍ରୀୟ କାରାଗାରକୁ ସ୍ଥାନାନ୍ତର କରାଯାଇଛି।
ଲେହରେ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଜାମୱାଲ କହିଛନ୍ତି ଯେ ପୋଲିସ ୱାଙ୍ଗଚୁକଙ୍କ ସହ ଯୋଗାଯୋଗରେ ଥିବା ଜଣେ ପାକିସ୍ତାନ ପିଆଇଓ (ଗୁଇନ୍ଦା ଅଧିକାରୀ)ଙ୍କୁ ଗିରଫ କରିଛି। ପାକିସ୍ତାନ ଖବରକାଗଜ ଡନ୍ ସହ ଜଡ଼ିତ ଜଣେ ପିଆଇଓ ସୀମା ପାର ହୋଇ ରିପୋର୍ଟିଂ କରୁଥିଲେ। ଆମ ପାଖରେ ଏହାର ରେକର୍ଡ ଅଛି। ସୋନମ୍ ୱାଙ୍ଗଚୁକ୍ ପାକିସ୍ତାନରେ ଏକ ଡନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ବାଂଲାଦେଶ ମଧ୍ୟ ଗସ୍ତ କରିଥିଲେ। ତେଣୁ, ତାଙ୍କ ଗସ୍ତକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହୋଇଛି। ତଦନ୍ତ କରାଯାଉଛି।
ସେପ୍ଟେମ୍ବର ୨୪ ତାରିଖରେ ଲଦାଖର ଲେହରେ ରାଜ୍ୟ ମାନ୍ୟତା ଦାବି କରି ପ୍ରବଳ ହିଂସାକାଣ୍ଡ କରିଥିଲେ। ଅନେକ ଗାଡ଼ି ଜାଳିଦେବା ସହ ବିଜେପି କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଏଥିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୯୦ ଜଣ ଆହତ ହୋଇଥିଲେ। ଏହି ହିଂସାକାଣ୍ଡ ଘଟାଇବା ପାଇଁ ସୋନମ୍ ୱାଙ୍ଗଚୁକ ଉସୁକାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।