ବିଜୟଙ୍କ ସମାବେଶରେ ଭୟଙ୍କର ଦଳାଚକଟା; ଅନେକ ମୃତ
ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ, ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ
ଚେନ୍ନାଇ, ୨୮/୯: ତାମିଲନାଡୁର କରୁର ଜିଲ୍ଲାରେ ସାଉଥ୍ ସୁପରଷ୍ଟାର ତଥା ରାଜନେତା ବିଜୟ ଥାଲାପତିଙ୍କ ଏକ ରାଲିରେ ଦଳାଚକଟା ଘଟି ୩୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଆଠ ଜଣ ଶିଶୁ ଏବଂ ୧୬ ରୁ ଅଧିକ ମହିଳା ଅଛନ୍ତି। ସେହିପରି ୯୦ ଜଣ ଆହତ ହୋଇଛନ୍ତି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର ବିଳମ୍ବିତ ରାତିରେ କରୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
ସ୍ଥିତି ସମୀକ୍ଷା କରିବା ପାଇଁ ଷ୍ଟାଲିନ ସଚିବାଳୟରେ ରାଜ୍ୟ ଉଚ୍ଚ ପଦାଧିକାରୀଙ୍କ ଏକ ବୈଠକ ଡାକିଛନ୍ତି। ଘଟଣାର ତଦନ୍ତ ପାଇଁ ସେ ଜଷ୍ଟିସ୍ ଅରୁଣା ଜଗଦୀସନଙ୍କ ନେତୃତ୍ୱରେ ଏକ ତଦନ୍ତ କମିଶନ ଗଠନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦଳାଚକଟା ସମ୍ପର୍କରେ ତାମିଲନାଡୁ ସରକାରଙ୍କଠାରୁ ରିପୋର୍ଟ ମାଗିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦଳାଚକଟା ପରେ କରୁରର ପରିସ୍ଥିତି ବିଷୟରେ ପଚାରି ବୁଝିବା ପାଇଁ ତାମିଲନାଡୁ ରାଜ୍ୟପାଳ ଆର.ଏନ. ରବି ଏବଂ ଷ୍ଟାଲିନଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ସମସ୍ତ ସମ୍ଭାବ୍ୟ କେନ୍ଦ୍ରୀୟ ସହାୟତାର ପ୍ରତିଶ୍ରୁତି ଦେଇଥିଲେ।
ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ସେହିପରି ବିଜୟ ଥାଲାପତି ମଧ୍ୟ ଏହି ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଘଟଣା ତାଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଛି। ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଜୟ ଗତକାଲି ତାଙ୍କ ସମର୍ଥକମାନଙ୍କୁ ସମ୍ବୋଧିତ କରୁଥିବା ସମୟରେ ସନ୍ଧ୍ୟା ୭ଟା ୩୦ ସମୟରେ ଦଳାଚକଟା ଘଟିଥିଲା। ଅପରାହ୍ନରେ ବହୁ ସଂଖ୍ୟକ ସମର୍ଥକ ଏକାଠି ହୋଇଥିଲେ। ଟିଭି ଏବଂ ଫିଲ୍ମ ତାରକାଙ୍କ ଏକ ଝଲକ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ଲୋକମାନଙ୍କୁ ଅଚେତ ଏବଂ ପଡ଼ିଯିବା ଦେଖି ବିଜୟଙ୍କ ଦଳର ଅନେକ ଦଳୀୟ କର୍ମୀ ଆଲାର୍ମ ବଜାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବିଜୟଙ୍କ ଦଳ ଏକ ରୋଡ୍ ଶୋ ପାଇଁ ଅନୁମତି ମାଗିଥିଲା। କିନ୍ତୁ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ରୋଡ଼ ଶୋ ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲା। ତଥାପି, ରାଲି ସ୍ଥଳରେ ପହଞ୍ଚିବା ପାଇଁ ବିଜୟ ଯେଉଁ ରାସ୍ତା ବାଛିଥିଲେ ତାହା ଏକ ରୋଡ୍ ଶୋ ଠାରୁ କମ୍ ନୁହେଁ। ପୋଲିସ ରିପୋର୍ଟ କରିଛି ଯେ ରୋଡ୍ ଶୋ ଉପରେ ନିଷେଧ ସତ୍ତ୍ୱେ, ବିଜୟଙ୍କ ଯାତ୍ରା ପ୍ରାୟତଃ ଏକ ରୋଡ୍ ଶୋରେ ପରିଣତ ହୋଇଥିଲା। ରାଲି ସ୍ଥଳକୁ ଯାଉଥିବା ସମୟରେ ବିଜୟ ଯାଉଥିବା ରାସ୍ତାରେ ଶହ ଶହ କର୍ମୀ ଯୋଗ ଦେଇଥିଲେ। ହଜାର ହଜାର ଲୋକ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଏତେ ସଂଖ୍ୟାରେ ଲୋକ ଯୋଗ ଦେବେ ବୋଲି ପୋଲିସ ଆଶା କରିନଥିଲା।
ବିଜୟଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ୧୦,୦୦୦ ଲୋକଙ୍କ ସମାବେଶ ପାଇଁ ଅନୁମତି ଦେଇଥିଲା। ଏହି ସଂଖ୍ୟାକୁ ଆଧାର କରି ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କିନ୍ତୁ ଏହି ସମାବେଶରେ, ପ୍ରାୟ ୨୭,୦୦୦ ଲୋକ ଯୋଗ ଦେଇଥିଲେ। ଯାହା ଏକ ବଡ଼ ତ୍ରୁଟି ଥିଲା। ଏଥି ସହ ବିଜୟ ପ୍ରାୟ ସାତ ଘଣ୍ଟା ବିଳମ୍ବରେ କାର୍ଯ୍ୟକ୍ରମରେ ପହଞ୍ଚି ଥିଲେ, ଲୋକମାନେ ଅଶାନ୍ତ ହୋଇଗଲେ। ଏହା ମଧ୍ୟ ଦଳାଚକଟାର ଏକ କାରଣ ବୋଲି ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, ବିଜୟ ଥାଲାପତି ଟିଭିକେ ନାମରେ ଏକ ରାଜନୈତିକ ଦଳ ଗଠନ କରିଛନ୍ତି। ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଗତ ମାସରେ ମଧ୍ୟ ବିଜୟ ଏକ ରାଲି କରିଥିଲେ। ସେହି ଜନସମାବେଶରେ ହଜାର ହଜାର ଲୋକ ଯୋଗ ଦେଇଥିଲେ।