୪ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର
ରାଜ୍ୟ କ୍ୟାବିନେଟ୍ ବୈଠକରେ ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର
ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ମିଳିବ ଓଭରଟାଇମ୍ ଭତ୍ତା
ଭୁବନେଶ୍ଵର, ୨୯/୯: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଲୋକସେବା ଭବନରେ ଏହି ବୈଠକ ବସିଥିଲା। ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।
ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ର ସଂଶୋଧନ ପାରିତ ହୋଇଛି। କାରଖାନା ୧୯୪୮ର ସଂଶୋଧନ ଆଇନ ମଧ୍ୟ ହେଲା ପାରିତ। ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି। ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ୍ ମିଳିବ। ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ। ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବେ।
ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ମିଳିଛି। ଘଟଗାଁ ତାରିଣୀ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ୨୨୬ କୋଟି ମଞ୍ଜୁର ହୋଇଛି। ୫୯ ଏକର ଜମିକୁ ନେଇ ପାରିପାର୍ଶ୍ବିକ ବିକାଶ ପାଇଁ DPR ପ୍ରସ୍ତୁତ ହେବ।