କୋଠା ଭୁଶୁଡ଼ି ୯ ମୃତ

କ୍ଷତିପୂରଣ ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ଚେନ୍ନାଇ, ୧/୯: ତାମିଲନାଡୁର ଏନୋରରେ ଉତ୍ତର ଚେନ୍ନାଇ ତାପଜ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ ସ୍ଥାନରେ ଏକ ବଡ଼ ଦୁର୍ଘଟଣାରେ ନଅ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଦଶ ଜଣ ଆହତ ହୋଇଛନ୍ତି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ପ୍ରାୟ ୩୦ ଫୁଟର ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ଅନେକ ପ୍ରବାସୀ ଶ୍ରମିକଙ୍କ ଉପରେ ତାହା ପଡ଼ି ଯାଇଥିଲା। ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ, ଦଶରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଉତ୍ତର ଚେନ୍ନାଇର ଷ୍ଟାନଲି ସରକାରୀ ହସ୍ପିଟାଲକୁ ପଠାଯାଇଛି।

ତାମିଲନାଡୁ ବିଦ୍ୟୁତ୍ ବୋର୍ଡର ସଚିବ ଏବଂ ତାମିଲନାଡୁ ଜେନେରେସନ୍ ଆଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ୍ ଲିମିଟେଡ୍ (TANGEDCO)ର ଅଧ୍ୟକ୍ଷ ଡକ୍ଟର ଜେ ରାଧାକ୍ରିଷ୍ଣନ୍ ଆହତ ଶ୍ରମିକମାନଙ୍କୁ ଭେଟି ପରିସ୍ଥିତିର ସମୀକ୍ଷା କରିଛନ୍ତି।

ଆଭାଡି ପୋଲିସ କମିଶନରେଟ୍ କହିଛି ଯେ ଭୁଶୁଡ଼ିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଦ୍ଧାର କାର୍ଯ୍ୟ ଚାଲିଛି, ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (PMNRF) ରୁ ୨ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।